ଓ୍ବାଶିଂଟନ:୪୪ ବିଲିୟନ ଡଲାରରେ ଟ୍ବିଟର କିଣିବା ପର ଠାରୁ ଟେସଲା ସିଇଓ ଏଲନ ମସ୍କଙ୍କ ସମ୍ପତ୍ତି ମୂଲ୍ୟରେ ଦ୍ରୁତ ହ୍ରାସ ହୋଇଛି । ଯାହାଫଳରେ ମସ୍କ ଏବେ ଧନୀ ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି( Elon Musk Is Now The World's Second Richest Man) । ଏଥିରୁ ସ୍ପଷ୍ଟ ବାରି ହେଇଛି ଯେ, ଦିନକୁ ଦିନ ମସ୍କଙ୍କ ଦୁର୍ଦ୍ଦିନ ବଢିବାରେ ଲାଗିଛି । ତେବେ ଏହାରି ଭିତରେ ଟ୍ୱିଟର ସିଇଓ ଏଲନ୍ ମସ୍କ ମାଇକ୍ରୋବ୍ଲଗିଂ ୱେବସାଇଟରେ ଏକ ସର୍ଭେ ଆରମ୍ଭ କରିଛନ୍ତି । ମସ୍କ ଟ୍ବିଟ କରି ପଚାରିଛନ୍ତି," 'ଟ୍ବିଟର ମୁଖ୍ୟ ଭାବରେ ମୁଁ ଇସ୍ତଫା ଦେବା ଉଚିତ୍ ?(Should I step down as head of Twitter asks Musk on Twitter) ମୁଁ ଏହି ସର୍ଭେର ଫଳାଫଳ ଅନୁସରଣ କରିବି।"
ସେ ଅନ୍ୟ ଏକ ଟ୍ବିଟରେ କହିଛନ୍ତି, "ପ୍ରମୁଖ ନୀତି ପରିବର୍ତ୍ତନ ପାଇଁ ମତଦାନ କରାଯିବ । ମୁଁ କ୍ଷମା ମାଗୁଛି, ଏମିତି ଆଉ ଦ୍ବିତୀୟ ଥର ହେବ ନାହିଁ ।"
ଅନ୍ୟପଟେ ତୃତୀୟ ଟ୍ବିଟରେ ମସ୍କ କହିଛନ୍ତି," ତୁମେ ଯାହା ଚାହୁଁଛ ସେଥିପ୍ରତି ଧାନ ଦିଅ । କାରଣ ଆପଣ ତାହା ପାଇପାରିବେ ।"
ତେବେ ରବିବାର ଦିନ ଟ୍ୱିଟର ଘୋଷଣା କରିଛି ଯେ ଫେସବୁକ୍, ଇନଷ୍ଟାଗ୍ରାମ ସମେତ ନିର୍ଦ୍ଦିଷ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନ୍ୟ ଆକାଉଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହୃତ ହେଉଥିବା ଆକାଉଣ୍ଟକୁ ସସପେଣ୍ଡ କରିବ ।