ନୂଆଦିଲ୍ଲୀ:ଡଲାର ଆଗରେ ଦୁର୍ବଳ ହେଉଛି ଟଙ୍କା । ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବମୂଲ୍ୟାୟନ ଜାରି ରହିଛି । ବୁଧବାର ଟଙ୍କା ମୂଲ୍ୟରେ ସର୍ବକାଳୀନ ରେକର୍ଡ ହ୍ରାସ ଆସିଛି(Rupee plunges to new all time low) । ଗୋଟିଏ ଡଲାର ମୂଲ୍ୟ ପ୍ରଥମ ଥର ପାଇଁ ୮୩ ଟଙ୍କା ଅତିକ୍ରମ କରିଛି । ବୁଧବାର ମୁଦ୍ରା ବିନିମୟ ବଜାର ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୨ ଟଙ୍କା ୮୩ ପଇସା ଥିଲା । କିନ୍ତୁ କିଛି ସମୟ ମଧ୍ୟରେ ଟଙ୍କାରେ ଦ୍ରୁତ ହ୍ରାସ ଆସିଥିଲା । ଟଙ୍କା ମୂଲ୍ୟରେ ୬୧ ପଇସା ଅବନତି ଘଟିଥିଲା । ଏହାସହିତ ଡଲାର ମୂଲ୍ୟ ୮୩ ଟଙ୍କା ୧ ପଇସା ହୋଇଥିଲା । ବୁଧବାର ଟଙ୍କା ୮୩.୦୧ରେ କାରବାର ଶେଷ କରିଛି ।
ଗୁରୁବାର ବଜାର କାରବାର ସମୟରେ ଟଙ୍କା ମୂଲ୍ୟରେ ୧୦ ପଇସା ଅବନତି ଆସିଥିଲା ଏବଂ ଏହା ଡଲାର ତୁଳନାରେ ୮୨.୪୦ରେ କାରବାର ବନ୍ଦ କରିଥିଲା । କିନ୍ତୁ ବୁଧବାର ଟଙ୍କା ପୂର୍ବ ବନ୍ଦ ଠାରୁ ୬୧ ପଇସା ଅଧିକ ହ୍ରାସ ରେକର୍ଡ କରିଛି । ତେବେ କେବଳ ଟଙ୍କା ନୁହେଁ, ଡଲାର ଆଗରେ ଅନ୍ୟ ପ୍ରମୁଖ ମୁଦ୍ରା ଗୁଡିକର ଅବମୂଲ୍ୟାୟନ ଜାରି ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ବୃଦ୍ଧି ବ୍ୟତୀତ ଡଲାରର ଅଧିକ ଚାହିଦା ଓ ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର ଯୋଗୁଁ ଟଙ୍କା ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା କୁହାଯାଉଛି ।