ହାଇଦ୍ରାବାଦ: ଜେନେରସନ Z(୨୫ ବର୍ଷରୁ କମ୍) ଆଗରେ ଏକ ନୂତନ ଚ୍ୟାଲେଞ୍ଜ ଆସିଛି । ତାହା ହେଉଛି ଶୀଘ୍ର ଅବସର ଅର୍ଥାତ୍ କମ୍ ବୟସରେ କର୍ମକ୍ଷେତ୍ରରୁ ସେବାନିବୃତ୍ତ ହେବା । ସମ୍ପ୍ରତି ଜ୍ଞାନକୌଶଳ ବିକାଶ ଏବଂ ମେଡିକାଲ ଭିତ୍ତିଭୂମିରେ ଉନ୍ନତି ଯୋଗୁଁ ଲୋକଙ୍କ ଆୟୁଷ ବୃଦ୍ଧିପାଉଛି । ସେଦିନ ଯାଇଛି, ଯେବେ ଲୋକେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କାମ କରୁଥିଲେ ଏବଂ ଏକ ସୁଖପ୍ରଦ ଓ ଚିନ୍ତାମୁକ୍ତ ସେବାନିବୃତ୍ତ ଜୀବନ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ହେଲେ ଆଜିର ଯୁବପୀଢି ଅଲଗା ଟ୍ରାକରେ ଚାଲୁଛନ୍ତି । ଏହି ପିଢି ୫୦ ବର୍ଷ ବୟସରେ ହିଁ ଅବସର ନେବାକୁ ଯୋଜନା କରୁଛନ୍ତି ଏବଂ ଚାକିରିକୁ ବାଏ ବାଏ କହୁଛନ୍ତି । ସେମାନେ ନିଜ ଜୀବନକୁ ନିଜ ଇଚ୍ଛାରେ ଉପଭୋଗ କରିବାକୁ ଚାହୁଁଥିବାରୁ ୧୦ ବର୍ଷ ଆଗରୁ ହିଁ ଅବସର ନେବା ପାଇଁ ଚିନ୍ତା କରୁଛନ୍ତି । ଶୀଘ୍ର ଅବସର ନେବା ତ ଠିକ୍ ! ହେଲେ ବାକି ଜୀବନ କେମିତି କାଟିବେ ?
କାର୍ଯ୍ୟରୁ ଶୀଘ୍ର ଅବସର ନେଇ ଜୀବନ ଉପଭୋଗ କରିବା ତ ଠିକ୍, ହେଲେ ଏଥିପାଇଁ ଅନେକ ଜଟିଳ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥାଏ । ଉନ୍ନତ ଜୀବନଶୈଳୀ ଓ ଚିକିତ୍ସା ସୁବିଧା ଯୋଗୁଁ ଏବେ ଲୋକେ ୮୦ ବର୍ଷ ପର୍ଯ୍ୟନ୍ତ ଜୀବନ ଧାରଣ କରିପାରୁଛନ୍ତି । ଏପରି ସ୍ଥିତିରେ ବଡ ଚ୍ୟାଲେଞ୍ଜ ହେଉଛି, ୫୦ ବର୍ଷରେ ଅବସର ନେଲେ ବାକି ୩୦ ବର୍ଷ ସେମାନେ କ'ଣ କରିବେ ଏବଂ କେମିତି ନିଜ ଜୀବନ ଅତିବାହିତ କରିବେ ? ତେଣୁ ଅବସର ପରର ଜୀବନ ପାଇଁ ଚାକିରି ଅବଧିରେ ହିଁ ଏକ ମଜବୁତ ଯୋଜନା ପ୍ରସ୍ତୁତ କରିବା ଉଚିତ୍ ।
ଏହି ପ୍ରସଙ୍ଗରେ ଅନଲାଇନ ବ୍ରୋକରେଜ ପ୍ଲାଟଫର୍ମ ଜେରୋଧା(online brokerage platform Zerodha)ର ସଂସ୍ଥାପକ ତଥା ସିଇଓ ନୀତିନ କାମଥ ଟ୍ବିଟ୍ କରି ଜେନେରେସନ Z(Generation Z) ପାଇଁ କିଛି ପରାମର୍ଶ ଦେଇଛନ୍ତି । ୫୦ରୁ ୮୦ ବର୍ଷ ବୟସ ମଧ୍ୟରେ ସମସ୍ୟା ମୁକ୍ତ ସେବାନିବୃତ୍ତ( hassle-free retirement) ଜୀବନ ନିମନ୍ତେ କେମିତି ପୂର୍ବ ଯୋଜନା ପ୍ରସ୍ତୁତି କରିବା ଉଚିତ୍ ? ପୂର୍ବରୁ ଏଥିପାଇଁ ଲୋକମାନେ ଫିକ୍ସଡ ଆସେଟ ଏବଂ ଷ୍ଟକ ବଜାରରେ ଦୀର୍ଘକାଳୀନ ନିବେଶ କରୁଥିଲେ । ହେଲେ ଆଜିର ପିଢି ଏହି ନିବେଶ ପ୍ରତି ପ୍ରାଥମିକତା ଦେଉନଥିବା ଦେଖାଯାଉଛି ।