ନୂଆଦିଲ୍ଲୀ: ଆଉ ଥରେ ପୁଣି ସ୍ଥିର ରହିଲା ରେପୋ ରେଟ୍ । କ୍ରମାଗତ ପଞ୍ଚମ ଥର ପାଇଁ ରେପୋ ରେଟ୍ ବା ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । କେନ୍ଦ୍ରୀୟ ବ୍ୟାଙ୍କର ୬ ଜଣିଆ ମୁଦ୍ରାନୀତି କମିଟି (MPC) ବୈଠକରେ ସର୍ବସମ୍ମତିକ୍ରମେ ରେପୋ ରେଟ୍ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଆଜି (ଶୁକ୍ରବାର) ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି । ଦେଶରେ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ୨୦୨୩-୨୪ ଆର୍ଥିକ ବର୍ଷର ପଞ୍ଚମ ମୁଦ୍ରାନୀତି ବୈଠକରେ ସୁଧହାର ସ୍ଥିର ରହିବା ନେଇ ପୂର୍ବରୁ ଅର୍ଥନୀତିଜ୍ଞମାନେ ମଧ୍ୟ ଆକଳନ କରିଥିଲେ ।
ଏନେଇ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଦେଶର ସାମଗ୍ରିକ ଅର୍ଥନୈତିକ ବିକାଶର ବିସ୍ତୃତ ମୂଲ୍ୟାଙ୍କନ କରିବା ପରେ ମୁଦ୍ରାନୀତି କମିଟି ରେପୋ ରେଟରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି । ରେପୋ ରେଟ୍ ୬.୫ ପ୍ରତିଶତ ଅପରିବର୍ତ୍ତିତ ରହିବା ସହିତ ସ୍ଥାୟୀ ଜମା ସୁବିଧା (SDF) ଓ ସୀମାନ୍ତ ଜମା ସୁବିଧା (MSF) ରେଟ୍ ଯଥାକ୍ରମେ ୬.୨୫ ଓ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଏନେଇ ପୂର୍ବରୁ ଅର୍ଥନୀତିଜ୍ଞମାନେ ଆକଳନ କରିଥିବା ବେଳେ ତାହା ହିଁ ହୋଇଛି । ଏମିତିକି କିଛି ଏକ୍ସପର୍ଟ ୨୦୨୪ ପର୍ଯ୍ୟନ୍ତ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ଅନୁମାନ ଲଗାଇଛନ୍ତି । ଏହାର କାରଣ ହେଉଛି ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି ।