ମୁମ୍ବାଇ:ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଫେଲ୍ ମାରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଇନ୍ଧନ ଠାରୁ ଆରମ୍ଭ କରି ଖାଇବା ତେଲ ଦର ଆକାଶ ଛୁଆଁ ରହିଛି । ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ହାର ପାଖାପାଖି ୭% ରହିଛି । ତେବେ କାହିଁକି ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତି ମୁକାବିଲାରେ ବିଫଳ ହୋଇଛି ସେନେଇ ଆରବିଆଇ ଏବେ କେନ୍ଦ୍ର ସରାକରଙ୍କୁ ରିପୋର୍ଟ ପ୍ରଦାନ କରିବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଆରବିଆଇର ଗୁରୁତ୍ବପୂର୍ଣ୍ଣ ମୁଦ୍ରାନୀତି ବୈଠକ(monetary policy committee) ଅନୁଷ୍ଠିତ ହୋଇଯାଇଛି ।
ରିଜର୍ଭ ବ୍ୟାଙ୍କ ଆକ୍ଟ ୧୯୩୪ର ଧାରା 45ZN ଅଧିନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଥିଲା । ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ(RBI governor Shaktikanta Das) ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଦ୍ରାନୀତି କମିଟିର ସମସ୍ତ ସଦସ୍ୟ ଡ. ମାଇକେଲ ଦେବବ୍ରତ ପାତ୍ର, ରାଜୀବ ରଞ୍ଜନ, ଶଶାଙ୍କ ଭିଡେ, ଅସୀମା ଗୋୟଲ ଓ ପ୍ରଫେସର ଜୟନ୍ତ ଆର ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ଦରଦାମ୍ ବୃଦ୍ଧି ଉପରେ ବିଶେଷ ଭାବେ ଚର୍ଚ୍ଚା ହୋଇଛି । ଏହାସହିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ବିଫଳତା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ ଉପରେ ଆଲୋଚନା କରାଯାଇଛି ।