ନୂଆଦିଲ୍ଲୀ:ବଦଳିଲାନି ରେପୋ ରେଟ୍ । ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଛି । ଦୁଇ ଦିନର ବୈଠକ ପରେ ଆଜି(ଗୁରୁବାର) ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ସୂଚନା ଦେଇଛନ୍ତି । ରେପୋ ରେଟ୍ ଅପରିବର୍ତ୍ତିତ ରହିବାରୁ ଲୋକଙ୍କ ଉପରେ ଆଉ EMI ବୋଝ ମଧ୍ୟ ବଢିବ ନାହିଁ ।
ଗତ ଫେବୃୟାରୀରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟରେ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଥିଲା । ଏହାସହିତ ସୁଧହାର ୬.୫ ପ୍ରତିଶତରେ ପହଞ୍ଚିଥିଲା । ଗତବର୍ଷ ମେ' ମାସ ଠାରୁ ରେପୋ ରେଟ ବଢିବାର ଏହା ଷଷ୍ଠ ଥର ଥିଲା । ରେପୋ ରେଟ ବଢିଲେ ସାଧାରଣତଃ ବ୍ୟାଙ୍କ ଲୋନ ଓ EMI ଅଧିକ ମହଙ୍ଗା ହୋଇଥାଏ । ତେବେ ଗତ ମେ' ଠାରୁ ଲଗାତାର ୬ ଥର ସୁଧହାର ବଢିବା ପରେ ମୁଦ୍ରାନୀତି କମିଟି ଚଳିତ ମାସ ଏହି ବୃଦ୍ଧିରେ ବ୍ରେକ ଲଗାଇଛି । ଏହାସହିତ ଆରବିଆଇ ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି(SDF) ୬.୨୫ ପ୍ରତିଶତ, ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି(MSF) ଏବଂ ବ୍ୟାଙ୍କ ରେଟ ୬.୭୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ଗତ ୩ ତାରିଖରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ତତ୍ତ୍ବାବଧାନରେ ମୁଦ୍ରାନୀତି ବୈଠକ ଚାଲିଥିଲା ।