ନୂଆଦିଲ୍ଲୀ:ଭାରତୀୟ ପୁଞ୍ଜି ବଜାରରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା NDTV ଶେୟାରର ଉତ୍ସାହଜନକ ପ୍ରଦର୍ଶନ ଜାରି ରହିଛି । ଆଦାନୀ ଗ୍ରୁପ NDTV ଶେୟାର କିଣିବା ନେଇ ଘୋଷଣା କରିବା ପରେ ଏହାର ଶେୟାର ମୂଲ୍ୟ ଗୁରୁବାର ସର୍ବାଧିକ ସ୍ତର ଛୁଇଁଥିଲା । ଉଭୟ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(NSE) ନିଫ୍ଟି ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜେ(BSE) ସେନସେକ୍ସରେ NDTV ଶେୟାରରେ ୫ ପ୍ରତିଶତ ବୃଦ୍ଧି ଆସିଥିଲା । ଏହାର ଶେୟାର ଏନଏସଇରେ ୩୮୮.୨୦ରେ ବନ୍ଦ ହୋଇଥିବାବେଳେ ଗୁରୁବାର ଦିନ ୫ ପ୍ରତିଶତ ବୃଦ୍ଧି ପାଇ ୪୦୭.୬୦ ପଏଣ୍ଟରେ ପହଞ୍ଚିଥିଲା । ଯାହାକି ଗତ ୫୨ ସପ୍ତାହରେ ସର୍ବାଧିକ ବୃଦ୍ଧି ଅଟେ ।
ଅନୁରୂପ ଭାବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ମଧ୍ୟ NDTV Ltd ଶେୟାର ୫ ପ୍ରତିଶତ ଉଛୁଳି ୪୦୩.୭୦ ହୋଇଯାଇଥିଲା । ଗତ ଦୁଇ ଦିନ ମଧ୍ୟରେ କମ୍ପାନୀର ମାର୍କେଟ ଭ୍ୟାଲୁ ବିଏସଇରେ ୨୪୧.୭୮ କୋଟିରୁ ୨,୬୦୨.୭୧ କୋଟିକୁ ବୃଦ୍ଧି ପାଇଛି । ଗତ ବୁଧବାର ମଧ୍ୟ ବଜାରରେ NDTV Ltd ପ୍ରଦର୍ଶନ ଉତ୍ସାହଜନକ ରହିଥିଲା । ମଙ୍ଗଳବାର ମଧ୍ୟ ଏହାର ଷ୍ଟକ ମୂଲ୍ୟ ବମ୍ଫର ବୃଦ୍ଧି ସହ ବନ୍ଦ ହୋଇଥିଲା । ଏହି ଦିନ ଆଦାନୀ ଗ୍ରୁପ NDTV ଶେୟାର କିଣିବା ପାଇଁ ଖୋଲା ଅଫର୍ ଘୋଷଣା କରିଥିଲା । ଆଦାନୀ ଗ୍ରୁପ୍ ଅଫର ଦେବାର ମାତ୍ର କେଇ ଘଣ୍ଟା ମଧ୍ୟରେ ଏହାର ଶେୟାର ମୂଲ୍ୟ ଖୁବ୍ ଜୋରରେ ବୃଦ୍ଧି ଆସିଥିଲା ।