ୱାଶିଂଟନ:ଟ୍ୱିଟର ପରେ ଆଜିଠୁ ବୃହତ୍ ସୋସିଆଲ ମିଡିଆ ସଂସ୍ଥା ମେଟାରେ ଆରମ୍ଭ ହେବ ଛଟେଇ । ମେଟା ଅଧିନରେ ପରିଚାଳିତ ହେଉଥିବା ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସ୍ଆପ୍ର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବ । ଆଜିଠୁ ଛଟେଇ ପ୍ରକ୍ରିୟା ଆରମ୍ଭ ହେଉଥିବା ନେଇ କମ୍ପାନୀ ସିଇଓ ମାର୍କ ଜୁକରବର୍ଗ ସ୍ପଷ୍ଟ ସୂଚନା ଦେଇଛନ୍ତି(Meta CEO Zuckerberg confirms laying off employees) । କିଛି ମାସ ହେବ କମ୍ପାନୀର ଆର୍ଥିକ ସ୍ଥିତି ଭଲ ନାହିଁ । କମ୍ପାନୀ ଅଧିକ କ୍ଷତି ସହୁଥିବାରୁ ଖର୍ଚ୍ଚ କାଟ୍ ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।
କର୍ମଚାରୀଙ୍କ ଛଟେଇ ପାଇଁ ମଙ୍ଗଳବାର ମାର୍କ ଜୁକରବର୍ଗ ନିଜର ଏକଜିକ୍ୟୁଟିଭମାନଙ୍କ ସହ ଆଲୋଚନା କରିଛନ୍ତି । ଚାକିରି ହରାଉଥିବା କର୍ମଚାରୀଙ୍କୁ ଆଜିଠାରୁ ନୋଟିଫିକେସନ ମିଳିବ । ତେବେ ମେଟା ଏଚଆର ଗ୍ରୁପର ମୁଖ୍ୟ ଲରି ଗୋଲେର(head of human resources, Lori Goler) କହିଛନ୍ତି, ଯେଉଁ କର୍ମଚାରୀ ଚାକିରି ହରାଇବେ ସେମାନଙ୍କୁ ଅତିକମରେ ୪ ମାସର ଦରମା ପ୍ରଦାନ କରାଯିବ ।