ନୂଆଦିଲ୍ଲୀ: ଭାରତରେ ବଢିଚାଲିଛି ବେକାରୀ ସମସ୍ୟା । ଗତ ଏପ୍ରିଲ ମାସରେ ଦେଶରେ ବେକାରି ହାର 7.83% କୁ ବୃଦ୍ଧି ପାଇଛି । ମାର୍ଚ୍ଚରେ ଏହି ହାର 7.60% ଥିଲା । ସିଏମଆଇ (Centre for Monitoring Indian Economy) ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ, ଗତମାସରେ ଗ୍ରାମାଞ୍ଚଳରେ ବେକାରୀ ହାର କମିଥିବା ବେଳେ ସହରାଞ୍ଚଳରେ ବେକାରୀଙ୍କ ସଂଖ୍ୟା ବଢିଛି ।
ଭାରତରେ ବଢିଲା ବେକାରି ହାର: ସହରରେ ସର୍ବାଧିକ, ଗାଁରେ କମ୍ - ଭାରତର ବେକାରୀ ହାର
ଏପ୍ରିଲରେ ଦେଶରେ 7.83% ବଢିଲା ବେକାରୀ ହାର । ସହରାଞ୍ଚଳରେ ରହିଛନ୍ତି ଅଧିକ ବେକାରୀ । ଅଧିକ ପଢନ୍ତୁ
ସହରାଞ୍ଚଳରେ ବେକାରୀ ହାର 9.22% ରହିଛି । ପୂର୍ବମାସ ଅର୍ଥାତ୍ ମାର୍ଚ୍ଚରେ ଏହା 8.28% ଥିଲା । ଅନ୍ୟପଟେ ଗ୍ରାମାଞ୍ଚଳ ବେକାରୀ ହାର ପୂର୍ବ ମାସ ଅପେକ୍ଷା ହ୍ରାସ ପାଇଛି । ମାର୍ଚ୍ଚରେ ଗ୍ରାମାଞ୍ଚଳରେ 7.29% ବେକାରୀ ଥିବାବେଳେ ଏପ୍ରିଲରେ ଏହା କମି 7.18% ରହିଛି । ହରିୟାଣା ରାଜ୍ୟରେ ସର୍ବାଧିକ ବେକାରୀ ସଂଖ୍ୟା ରେକର୍ଡ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ହରିୟାଣାରେ ମୋଟ 34.5% ବେକାରୀ ହାର ରହିଥିବା ବେଳେ ଏହାପଛକୁ ରାଜସ୍ଥାନରେ ସର୍ବାଧିକ 28.8%, ବିହାରରେ 21.1% ଏବଂ ଜାମ୍ମୁ-କାଶ୍ମୀରରେ 15.6% ରେକର୍ଡ ହୋଇଛି ।
ଅର୍ଥନୀତିଜ୍ଞମାନେ କହିଛନ୍ତି, ''ଘରୋଇ ଚାହିଦା ଏବଂ ଦରଦାମ ବୃଦ୍ଧି ମଧ୍ୟରେ ଅର୍ଥନୈତିକ ପୁନରୁଦ୍ଧାରର ମନ୍ଥର ଗତି ଦେଶରେ ନିଯୁକ୍ତି ସୁଯୋଗକୁ ପ୍ରଭାବିତ କରିଛି'' । ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି 6.95% ବୃଦ୍ଧି ପାଇଥିଲା । ଯାହାକି ଗତ ୧୭ ମାସ ମଧ୍ୟରେ ସର୍ବାଧିକ ଥିଲା । ଚଳିତ ବର୍ଷ ଏହି ମୁଦ୍ରାସ୍ଫୀତି 7.5% ଯାଏଁ ବଢିବା ନେଇ ଆଶଙ୍କା କରାଯାଉଛି । ସେହିପରି ରିଜର୍ଭ ବ୍ୟାଙ୍କ ଜୁନରେ ରେପୋ ରେଟ ବଢାଇ ପାରନ୍ତି ବୋଲି ସିଙ୍ଗାପୁର କ୍ୟାପିଟାଲ ଇକୋନୋମିକ୍ସର ଅର୍ଥନୀତିଜ୍ଞ ଶିଲନ ଶାହା(Shilan Shah, economist at Capital Economics) କହିଛନ୍ତି । କହିରଖୁଛୁ କି, ବେକାରୀ ହାରରୁ ଭାରତୀୟ ଅର୍ଥନୀତିର ସ୍ଥିତି ପ୍ରତିଫଳିତ ହୋଇଥାଏ ।