ହାଇଦ୍ରାବାଦ:ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଆର୍ଥିକ ଲକ୍ଷ୍ୟ ରହିଥାଏ । ଯାହାକୁ ହାସଲ କରିବାକୁ ସେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି । ଏଭଳି ଯେକୌଣସି ପ୍ରକାର ପ୍ରଚେଷ୍ଟାରେ ସଫଳ ହେବାକୁ ହେଲେ ଏଥିପାଇଁ ଏକ ସୁନିଶ୍ଚିତ ଷ୍ଟ୍ରାଟେଜି ଏବଂ ପ୍ଲାନିଂ ଆବଶ୍ୟକ । ବର୍ତ୍ତମାନ ଆମେ କେଉଁଠି ଅଛୁ ? କେଉଁଠି ପହଞ୍ଚିବାକୁ ଲକ୍ଷ୍ୟ ରଖୁଛୁ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେତେ ସମୟ ଲାଗିବ ? ଏ ସମ୍ପର୍କରେ ବ୍ୟବସ୍ଥିତ ରୂପେ ଅବଗତ ହେବା ଜରୁରୀ । ଆମକୁ ପ୍ରଥମେ ନିଜର ଆର୍ଥିକ ସ୍ଥିତି ଜାଣିବା ଦରକାର ଓ ନିଜର ଲକ୍ଷ୍ୟକୁ ଏକ ବ୍ୟବସ୍ଥିତ ଢଙ୍ଗରେ ଲେଖିବା ଆବଶ୍ୟକ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେତେ ଅର୍ଥ ଆବଶ୍ୟକ ତାହା ଆକଳନ କରନ୍ତୁ ଏବଂ ଏଥିପାଇଁ କେତେ ସମୟ ଦରକାର ତାହା ଜାଣନ୍ତୁ । ତଦନୁଯାୟୀ ନିବେଶ ଯୋଜନା ବନାନ୍ତୁ । କେଉଁଠି କେତେ ଟଙ୍କା ନିବେଶ କରାଯାଇପାରିବ, ଏଭଳି ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ । ମନେରଖିବେ, ଯେତେବେଳେ ଆପଣ ଭବିଷ୍ୟତ ପାଇଁ ବ୍ୟବସ୍ଥିତ ଯୋଜନା କରିବେ, ଏହାଦ୍ବାରା ଆର୍ଥିକ ଲକ୍ଷ୍ୟ ହାସଲ କରିବା ଆପଣଙ୍କ ପାଇଁ ସହଜ ହେବ ।
ଯଦି ଆପଣ ଅନୁଶାସନ ସହକାରେ ଆର୍ଥିକ ଯୋଜନା କରୁଛନ୍ତି,ଏହା ଅଧା କାର୍ଯ୍ୟ ସରିବା ଭଳି ଅଟେ । ବାକି କାର୍ଯ୍ୟ ସେ ଦିଗରେ ପ୍ରଚେଷ୍ଟା କରିବା ଦ୍ବାରା ପୂରଣ ହୋଇଯାଇଥାଏ । ସଞ୍ଚୟ ଏବଂ ନିବେଶ ଅନୁଶାସନ ସହ କରିବା ଉଚିତ୍ । ଆପଣ ଯଦି ଦୀର୍ଘକାଳରେ ଅର୍ଥ(create wealth in the long run) ପାଇବାକୁ ଚାହୁଁଛନ୍ତି, ଏହା ଜରୁରୀ କି ଆପଣ କିପରି ଭାବେ ନିବେଶ କରୁଛନ୍ତି ଏବଂ କେତେ ପରିମାଣର ନିବେଶ କରୁଛନ୍ତି । ନିୟମିତ ଭାବେ ନିବେଶ କରିବା ଦ୍ବାରା ଏକ ଛୋଟ ପରିମାଣର ରାଶି ମଧ୍ୟ ବଡ ମୁନାଫା ଦେଇପାରେ । ଉଦାହରଣସୂରୁପ, ମନେକର ଆପଣ ୧୦ ବର୍ଷ ପାଇଁ ମାସିକ ୫୦୦୦ ଟଙ୍କା ନିବେଶ କରୁଛନ୍ତି ଏବଂ ଏହା ଉପରେ ଅତିକମରେ ୧୨ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ତେବେ ୧୦ ବର୍ଷ ମଧ୍ୟରେ ଆପଣଙ୍କ ନିବେଶ କରିଥିବା ୬ ଲକ୍ଷ ରାଶି ୧୧.୬ ଲକ୍ଷକୁ ବୃଦ୍ଧି ପାଇବ, ଯାହାକି ନିବେଶ ପରିମାଣର ଦୁଇଗୁଣା ଅଟେ । ଭୁଲନ୍ତୁ ନାହିଁ ଯେ, ଏହିଭଳି ଲାଭ ଆପଣ ସେତେବେଳେ ପାଇପାରିବେ ଯେତେବେଳେ ନିୟମିତ ନିବେଶ କରିବେ ।