ହାଇଦ୍ରାବାଦ: ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ପରେ ବ୍ୟାଙ୍କ ଋଣ ମହଙ୍ଗା ହୋଇଛି । ବିଶେଷକରି ଦୀର୍ଘମିଆଦି ହୋମ ଲୋନର ବର୍ଦ୍ଧିତ ସୁଧ ଲୋକଙ୍କ ଚିନ୍ତା ବଢାଇଛି । ଲୋକମାନେ ସୁଧ ବୋଝ ହାଲୁକା କରିବାକୁ ଯାଇ EMI(equated monthly installments)ରାଶି ହ୍ରାସ ଏବଂ ଲୋନ ଅବଧି ବୃଦ୍ଧି ଭଳି ଉପାୟ ଆପଣାଉଛନ୍ତି । ହେଲେ ଏହିଭଳି ପଦକ୍ଷେପ ନେବା ଲୋନକର୍ତ୍ତାଙ୍କ ପକେଟ ଉପରେ ଅଧିକ ପ୍ରଭାବ ପକାଇଥାଏ । ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ତେଣୁ ଯଥାଶୀଘ୍ର ହୋମ ଲୋନ ଶୁଝିବାକୁ ଚାହୁଁଥିଲେ ନିଜର ଆର୍ଥିକ ସ୍ଥିତିକୁ ବିଚାର କରି କ୍ଷୁଦ୍ର ସଞ୍ଚୟ ବା ଡିପୋଜିଟ ଭଳି କମ୍ ସୁଧ ଅର୍ଜନକାରୀ ପ୍ଲାନକୁ ନିଜର ଲୋନ ପରିଶୋଧ କରିବା ଦିଗରେ ବ୍ୟବହାର କରିବା ଉଚିତ୍ ।
ସ୍ବଳ୍ପ ଦିନ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ୪ ଥର ରେପୋ ରେଟ୍ ବୃଦ୍ଧି କରିସାରିଲାଣି । ଯାହାଫଳରେ ଲୋକଙ୍କ ଉପରେ ଦିନକୁ ଦିନ ଲୋନ ବୋଝ ବଢି ଚାଲିଛି । କିଛି ମାସ ହେଲା ଦେଶରେ ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହୁଛି । ଏହା ମଧ୍ୟ ଅନେକାଂଶରେ ସୁଧହାର ବୃଦ୍ଧିର କାରଣ ପାଲଟୁଛି । ଏପରି ସ୍ଥିତିରେ ଲୋକମାନେ ଯଦି ପୂର୍ବରୁ ଯୋଜନା ପ୍ରସ୍ତୁତ ନ କରିବେ ତାହାହେଲେ ଅବସର ପରେ ମଧ୍ୟ ତାଙ୍କୁ ଲୋନ ବୋଝ ବୋହିବାକୁ ପଡିପାରେ ।
ସାଧାରଣତଃ ହୋମ ଲୋନ ଟର୍ମ ୧୫ରୁ ୨୦ ବର୍ଷର ହୋଇଥାଏ । ଏହାର ଅର୍ଥ ବର୍ଷ ବର୍ଷ କାଳ ଋଣକର୍ତ୍ତା ଏହି ବୋଝ ମୁଣ୍ଡାଇଥାନ୍ତି । ଏହି ସମୟରେ ମଧ୍ୟରେ ସୁଧହାର ତଳ ଉପର ହୋଇଥାଏ । କାରଣ ରିଜର୍ଭ ବ୍ୟାଙ୍କର ସୁଧହାର ବୃଦ୍ଧି ନୂଆ ଲୋନ ପାଇଁ ଇଏମଆଇକୁ ଅଧିକ ମହଙ୍ଗା କରିଥାଏ । ତେଣୁ ସର୍ବଦା ନିର୍ଦ୍ଧାରିତ ସମୟ ପୂର୍ବରୁ ହୋମ ଲୋନ ଭଳି ଦୀର୍ଘମିଆଦି ଲୋନ ପରିଶୋଧ କରିବା ଉଚିତ୍ ।
ଅନେକ ସମୟରେ ଲୋକେ ଆବଶ୍ୟକ ପରିମାଣ ଠାରୁ ଅଧିକ ଲୋନ ନେଉଥିବାର ଦେଖିବାକୁ ମିଳେ । ସେହି ସମୟରେ ନିଜର ଆୟକୁ ଦେଖି ସେମାନେ ଏହି ଲୋନ ନେଇଥାନ୍ତି । ଯାହାର ପ୍ରଭାବ ତୁରନ୍ତ ଅନୁଭବ ହୋଇନଥାଏ । ମାତ୍ର ସୁଧହାର ବୃଦ୍ଧି ସହ କ୍ରମଶଃ ସେମାନଙ୍କ ବୋଝ ମଧ୍ୟ ବଢିଥାଏ । ତେବୁ ସବୁବେଳେ ଭଲ ଭାବେ ବିଚାର କରି ହିଁ ଲୋନ ନେବା ଆବଶ୍ୟକ ।