ନୂଆଦିଲ୍ଲୀ:ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଜାରି ହୋଇଥିବା ଜରୁରୀ ପରିସ୍ଥିତିକୁ ନିକଟରେ ୪୮ ବର୍ଷ ପୁରୁଛି । ୧୯୭୧ ଲୋକସଭା ନିର୍ବାଚନରେ ୟୁପି ରାଏବରେଲି ଲୋକସଭା ଆସନରୁ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଆହ୍ଲାବାଦ ହାଇକୋର୍ଟ ଅବୈଧ ଘୋଷିତ କରିବା ଏବଂ ୬ ବର୍ଷ ନିର୍ବାଚନ ଲଢିବା ଉପରେ କଟକଣା ଲଗାଇବା ପରେ ସେ ୧୯୭୫ ମସିହାରେ ଏମରେଜନ୍ସି ବା ଜରୁରୀ ପରିସ୍ଥିତି ଲାଗୁ କରିଥିଲେ ।
ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ଇନ୍ଦିରା ଗାନ୍ଧୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ଏବଂ ସାଂସଦ ଭାବେ ତାଙ୍କୁ ମିଳୁଥିବା ସବୁ ବିଶେଷ ଅଧିକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଇନ୍ଦିରା ଗାନ୍ଧୀ ସମ୍ବିଧାନର ଧାରା ୩୫୨ ଅଧିନରେ ଏମରଜେନ୍ସି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ରାଷ୍ଟ୍ରପତିଙ୍କ ଜରିଆରେ ଭାରତରେ ଏମରେଜେନ୍ସି ଲାଗୁ ହେବାର ଏହା ପ୍ରଥମ ଘଟଣା ନଥିଲା । ବରଂ ଏହାକୁ ମିଶାଇ ଭାରତ ୩ ଥର ଜାତୀୟ ଏମରଜେନ୍ସି ଦେଖିଥିଲା ।
ପ୍ରଥମେ ୧୯୬୨ ମସିହା ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ସମୟରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା । ଦ୍ବିତୀୟ ଥର ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ଲାଗୁ ହୋଇଥିଲା । ଯାହାର ପରିମାଣ ସୂରୁପ ନୂଆ ବାଲାଂଦେଶର ଜନ୍ମ ହୋଇଥିଲା । ତେବେ ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିବା ପାଇଁ କମ୍ ଚର୍ଚ୍ଚିତ ମାତ୍ର ସେତିକି ସୁଦୃଢ ଗୋଟିଏ ପ୍ରାବଧାନ ରହିଛି ।
ଧାରା ୩୬୦ ଅଧିନରେ ଆର୍ଥିକ ଜରୁରୀ ପରିସ୍ଥିତି:
ସମ୍ବିଧାନର ଧାରା ୩୬୦ ଅନୁସାରେ, ଯଦି ରାଷ୍ଟ୍ରପତି ନିଶ୍ଚିତ ହୁଅନ୍ତି ଯେ ଭାରତ ବା ଏହାର ଭୂଖଣ୍ଡର କୌଣସି ଭାଗରେ ଦେଶର ଆର୍ଥିକ ସ୍ଥିରତା କିମ୍ବା କ୍ରୟ କ୍ଷମତା ପ୍ରତି ବିପଦ ରହିଛି, ଏପରି ସ୍ଥଳେ ସେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ । ଅର୍ଥାତ୍ ଦେଶ କିମ୍ବା କୌଣସି ରାଜ୍ୟର ଗୁରୁତର ଆର୍ଥିକ ଦୂରାବସ୍ଥା ସ୍ଥିତିରେ ଧାରା ୩୬୦ ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ବାରା ଆର୍ଥିକ ଏମରଜେନ୍ସି ଲାଗୁ କରାଯାଇପାରିବ । ସମାନ ଧାରା ଅଧିନରେ ଭାରତର ରାଷ୍ଟ୍ରପତି ଏହାକୁ ପ୍ରତ୍ୟାହାର କରିପାରବେ ମଧ୍ୟ ।