ନୂଆଦିଲ୍ଲୀ:ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ଆଶ୍ବସ୍ତି । ଦେଶରେ ଶସ୍ତା ହୋଇପାରେ ଖାଇବା ତେଲ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ଗତ ସେପ୍ଟେମ୍ବରରେ ଦେଶରେ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି । ଚଳିତ ବର୍ଷ ତୁଳନାରେ ଗତବର୍ଷ ସମାନ ଅବଧିରେ ଏହି ଦର ଅଧିକ ରହିଥିଲା ।
ସେହିପରି ଗତ ଦୁଇ ମାସରେ ଅନ୍ତର୍ଜାତୀୟ ବଜାରରେ ବିଭିନ୍ନ ଖାଇବା ତେଲ ମୂଲ୍ୟରେ ଟନ୍ ପିଛା ପ୍ରାୟ ୪୦୦ରୁ ୫୦୦ ଡଲାର ହ୍ରାସ ହୋଇଛି । ଏହି ଦୃଷ୍ଟିରୁ ଆଗାମୀ ଦିନରେ ଭାରତୀୟ ବଜାରରେ ଖାଇବା ତେଲ ମୂଲ୍ୟ ହ୍ରାସ ପାଇବ(Edible oil retail prices to come down) ବୋଲି ଅନୁମାନ କରାଯାଉଛି । ପୂର୍ବ ବର୍ଷ ଗୁଡିକରେ, ସାଧାରଣତଃ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ପାର୍ବଣ ଋତୁ ସମୟରେ ଖାଇବା ତେଲ ମୂଲ୍ୟରେ ବୃଦ୍ଧି ପାଇଥାଏ ।
୨୦୨୦ ବର୍ଷରେ ଖାଇବା ତେଲ ମୂଲ୍ୟ ୭ରୁ୧୦ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୧୯ରେ ଏହି ବୃଦ୍ଧି ୩ରୁ ୮ ପ୍ରତିଶତ ମଧ୍ୟରେ ରହିଥିଲା । କିନ୍ତୁ ଚଳିତ ବର୍ଷ ବିପରୀତ ଧାରା ଦେଖିବାକୁ ମିଳୁଛି । ୨୦୨୨ ଅଗଷ୍ଟରେ ଘରୋଇ ବଜାରରେ ଖାଇବା ତେଲ ମୂଲ୍ୟ ୨ରୁ ୯ ପ୍ରତିଶତ ହାରରେ ହ୍ରାସ ପାଇଥିବା ଦେଖାଯାଇଛି । ସେହିପରି ପୂର୍ବ ବର୍ଷ ତୁଳନାରେ ଗତ ସେପ୍ଟେମ୍ବରରେ ମଧ୍ୟ ଦାମ୍ କମ୍ ରହିଛି ।