ହାଇଦ୍ରାବାଦ:ଆଜିକାଲି ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଉଚ୍ଚଶିକ୍ଷା ପାଇଁ ବେଶ୍ ଆଗ୍ରହୀ ହେଉଛନ୍ତି । ଦିନକୁ ଦିନ ବିଦେଶରେ ପାଠପଢା ମହଙ୍ଗା ହେଉଥିବା ବେଳେ ଏଥିପ୍ରତି ଧ୍ୟାନ ନଦେଇ ସେମାନେ ବ୍ୟାଙ୍କ୍ ଲୋନରେ ବିଦେଶ ଯାଉଛନ୍ତି । ବିଭିନ୍ନ ରାଷ୍ଟ୍ର ବିଶେଷକରି ବିକଶିତ ଦେଶଗୁଡିକରେ ସ୍ଥିତ ବିଶ୍ୱବିଦ୍ୟାଳୟରେ ପାଠପଢା ଅତ୍ୟନ୍ତ ବ୍ୟୟବହୁଳ ହେଉଛି । ତଥାପି ଅଭିଭାବକମାନେ ନିଜର କଷ୍ଟ ଉପାର୍ଜିତ ଆୟ ଓ ସଞ୍ଚୟକୁ ପିଲାଙ୍କ ଭବିଷ୍ୟତ ପାଇଁ କ୍ଷଣିକରେ ଉଡାଇବାକୁ ପଛାଉ ନାହାନ୍ତି । ଅଧିକାଂଶ ପରିବାର ବ୍ୟାଙ୍କରୁ ମୋଟା ଅଙ୍କର ଲୋନ୍ ନେଇ ପିଲାଙ୍କୁ ବିଦେଶ ପଠାଉଥିବାର ଦେଖିବାକୁ ମିଳୁଛି ।
ବିଗତ ଦିନରେ ବିଭିନ୍ନ ଦେଶରେ ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି । ଅନ୍ୟପଟେ ଆଗାମୀ ବର୍ଷଗୁଡିକରେ ବିଦେଶରେ ଉଚ୍ଚଶିକ୍ଷା ଆହୁରି ଅଧିକ ବ୍ୟୟବହୁଳ ହେବାର ଆଶଙ୍କା ରହିଛି । ଏକ ସର୍ଭେ ଅନୁଯାୟୀ, ବର୍ତ୍ତମାନ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ଶିକ୍ଷା ପାଇଁ ୨୮ ବିଲିୟନ ଡଲାର ଖର୍ଚ୍ଚ କରୁଛନ୍ତି । ଯାହାକି ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୨୪ ସୁଦ୍ଧା ୮୦ ବିଲିୟନ ଡଲାରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।
ଯଦିଓ କିଛି ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇଥାନ୍ତି, ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ସୁବିଧା ଲାଭ କରିନଥାନ୍ତି । ଏପରିସ୍ଥଳେ ସେମାନେ ବ୍ୟାଙ୍କ ଲୋନ ଉପରେ ନିର୍ଭରଶୀଳ ରୁହନ୍ତି । ଯେହେତୁ ବିଦେଶର ବିଶ୍ବବିଦ୍ୟାଳୟଗୁଡିକରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ହେଉଛି, ତେଣୁ ଆଗାମୀ ଦିନରେ ସେମାନଙ୍କ ଋଣ ଆବଶ୍ୟକତା ପୂରଣ ପାଇଁ ଭାରତ ସରକାର, ରିଜର୍ଭ ବ୍ୟାଙ୍କ ଓ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅଧିନରେ ଛାତ୍ରଛାତ୍ରୀ କଲେଜ, ହଷ୍ଟେଲ, ପରୀକ୍ଷା, ଲାବ୍ରୋଟୋରୀ, ପୁସ୍ତକ, ଉପକରଣ, ଜରୁରୀ ଡିପୋଜିଟ, ବିଲ୍ଡିଂ ଫଣ୍ଡ ଇତ୍ୟାଦି ଫି' ଦେବା ପାଇଁ ଲୋନ ପାଇପାରିବେ ।