ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ପାଖାପାଖି ୧୦୦ ଟଙ୍କା ଶସ୍ତା ହେଲା ରନ୍ଧନ ଗ୍ୟାସ ଦର । ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ଆଜି ୯୯ ଟଙ୍କା ୭୫ ପଇସା ହ୍ରାସ ପାଇଛି । ଦର କମିବା ପରେ ରାଜଧାନୀ ଦିଲ୍ଲୀରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ୧,୬୮୦ ଟଙ୍କା ହୋଇଯାଇଛି । ତେବେ ପୁଣିଥରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ଅପରିବର୍ତ୍ତିତ ରହିଛି । ଏହା ମୂଲ୍ୟରେ କୌଣସି ସଂଶୋଧନ ହୋଇନାହିଁ ।
କମର୍ସିଆଲ ଗ୍ୟାସ୍ ଶସ୍ତା ହେବା ପରେ କୋଲକାତାରେ ଏହାର ମୂଲ୍ୟ ୧୮୦୨.୫୦ ଟଙ୍କା ହୋଇଛି । ସେହିପରି ବାଣିଜ୍ୟ ନଗରୀ ମୁମ୍ବାଇ ଓ ଚେନ୍ନାଇରେ ଦର ହ୍ରାସ ପାଇ ଯଥାକ୍ରମେ ୧,୬୪୦.୫୦ ଟଙ୍କା ଏବଂ ୧,୮୫୨.୫୦ ଟଙ୍କାରେ ବିକ୍ରି ହେଉଛି । ଏହାପୂର୍ବରୁ ଜୁଲାଇ ୪ ତାରିଖରେ ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ସଂଶୋଧନ କରାଯାଇଥିଲା । ଏହି ସିଲିଣ୍ଡର ଦର ୭ ଟଙ୍କା ବୃଦ୍ଧି ପାଇଥିଲା । କିନ୍ତୁ ସେଥର ଭଳି ଆଜି ମଧ୍ୟ ୧୪ କେଜି ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚ ୧ରେ ଏହାର ଦର ସଂଶୋଧନ ହୋଇଥିଲା । ଏବେ ଦିଲ୍ଲୀରେ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ ୧,୧୦୩ ଟଙ୍କା, ମୁମ୍ବାଇରେ ୧,୧୦୨.୫୦ ଟଙ୍କା ରହିଛି ।