ନୂଆଦିଲ୍ଲୀ:ମାସ ଆରମ୍ଭରୁ ମହଙ୍ଗା ମାଡ଼ । ବଢିଲା ରନ୍ଧନ ଗ୍ୟାସ ଦର । ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀ ଆଜି(ରବିବାର) କର୍ମସିଆଲ ଗ୍ୟାସ ଦର ବଢାଇଛନ୍ତି । ୧୯ କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ ୨୦୯ ଟଙ୍କା ବୃଦ୍ଧି ପାଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଆଜିଠୁ ବର୍ଦ୍ଧିତ ଦର ଲାଗୁ ହେବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୭୩୧.୫୦ ଟଙ୍କା ହୋଇଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ପହିଲାରେ କର୍ମସିଆଲ ଏଲପିଜି ସିଲିଣ୍ଡର ୧୫୮ ଟଙ୍କା ଶସ୍ତା ହୋଇଥିଲା । ହେଲେ ମାସକ ପରେ ଏହା ଏକାଥରେ ୨୦୯ ବୃଦ୍ଧି ପାଇଛି । ଫଳରେ ବାଣିଜ୍ୟ ନଗରୀ ମୁମ୍ବାଇରେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ୧୬୮୪ ଟଙ୍କା, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସହରରେ ୧୮୪୫ ଟଙ୍କା, ଚେନ୍ନାଇରେ ୧୮୯୮ ଟଙ୍କା, ବେଙ୍ଗାଲୁରୁରେ ୧୮୧୩ ଟଙ୍କା ଓ କୋଲକାତାରେ ୧୮୩୯ ଟଙ୍କାକୁ ବୃଦ୍ଧି ପାଇଛି ।
ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ୍, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡ଼ିକ କର୍ମସିଆଲ ଗ୍ୟାସ ସିଲିଣ୍ଡରର ବଡ଼ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ ଦାମ ବଢିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ ମହଙ୍ଗା ହେବା କେବଳ ହୋଟେଲ ମାଲିକ ନୁହଁନ୍ତି ବରଂ ସାଧାରଣ ଲୋକଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଛି ।