ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରୁଛି ମୃଦୁ ପାନୀୟ କାମ୍ପା କୋଲା(Campa Cola Come Back) । 5 ଦଶନ୍ଧି ପୂର୍ବରୁ ଦେଶର କୋଲା ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିବା ଆଇକନିକ୍ କାମ୍ପା କୋଲା ଚଳିତ ବର୍ଷ ଦୀପାବଳି ସୁଦ୍ଧା ପୁନର୍ବାର ଲଞ୍ଚ ହେବାର ସମ୍ଭାବନା ରହିଛି । ତିନୋଟି ଫ୍ଲେଭର ଅରିଜିନାଲ, ଲେମନ ଏବଂ ଅରେଞ୍ଜ ସହ କମ୍ ବ୍ୟାକ୍ କରିବ କାମ୍ପା ।
ତେବେ ବିଲିୟନେୟାର ମୁକେଶ ଅମ୍ବାନୀ(Mukesh Ambani)ଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(Reliance Industries), କାମ୍ପା କୋଲା କମ୍ପାନୀକୁ 22 କୋଟି ମୂଲ୍ୟରେ କ୍ରୟ କରି ନିଜ ଅଧୀନକୁ ନେଇଛି । ଚଳିତ ବର୍ଷ ଦୀପାବଳି ସୁଦ୍ଧା ଭାରତୀୟ ବଜାରରେ ଏହାର ପୁନର୍ବାନ ଲଞ୍ଚ ନେଇ ଲକ୍ଷ୍ୟ ରଖିଛି କମ୍ପାନୀ । କେମ୍ପା କୋଲାର ପୁନଃର୍ବାର ଲଞ୍ଚ ପରେ ଏହା ଆମେରିକୀୟ କୋକା କୋଲା(Coca Cola) ଏବଂ ପେପ୍ସି(Pepsi) ବ୍ରାଣ୍ଡକୁ ଟକ୍କର ଦେଇପାରେ, ଯେଉଁ କମ୍ପାନୀଗୁଡିକ ବର୍ତ୍ତମାନ ଭାରତୀୟ ବଜାରରେ ରାଜ୍ କରୁଛନ୍ତି । ତେବେ ରିଲାଏନ୍ସ FMCG(Fast-moving consumer goods) ବ୍ୟବସାୟକୁ ବ୍ୟାପକ କରିବା ପାଇଁ ରଣନୀତିର ଏକ ଅଂଶ ଭାବରେ କାମ୍ପା କୋଲାକୁ ନିଜ ଅଧୀନକୁ ନେଇଛି ।
ତେବେ ଆଇକନିକ୍ କାମ୍ପା କୋଲା ବ୍ରାଣ୍ଡ ଅରିଜିନାଲ, ଲେମନ୍ ଏବଂ ଅରେଞ୍ଜ ଫ୍ଲେଭର ସହ ପୁନଃର୍ବାର ବଜାରକୁ ଆସିବ ବୋଲି ଆଶା କରାଯାଉଛି । ରିଲାଏନ୍ସରୁ ଉତ୍ପାଦ କିଣୁଥିବା ରିଲାଏନ୍ସ ରିଟେଲ ଷ୍ଟୋର, ଜିଓମାର୍ଟ ଏବଂ ତେଜରାତି ଷ୍ଟୋରରେ ଏହି ଉତ୍ପାଦ ଉପଲବ୍ଧ ହେବ । ସୂଚନା ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍(RIL)ର 45ତମ ବାର୍ଷିକ ସାଧାରଣ ସଭା(AGM)କୁ ସମ୍ବୋଧିତ କରିବାବେଳେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍(RRVL)ର ନିର୍ଦ୍ଦେଶକ ଇଶା ଅମ୍ବାନୀ କହିଛନ୍ତି ଯେ, ‘‘ରିଲାଏନ୍ସ ରିଟେଲ ଚଳିତ ବର୍ଷ FMCG ବ୍ୟବସାୟ ଆରମ୍ଭ କରିବ । ଉତ୍ପାଦର ବିକାଶ ଏବଂ ବିତରଣ କରିବା ଏହି ବ୍ୟବସାୟର ଉଦ୍ଦେଶ୍ୟ’’ ।