ଓଡିଶା

odisha

ETV Bharat / business

Amazon Layoffs: ଆମାଜନରେ କର୍ମଚାରୀ ଛଟେଇ ଆରମ୍ଭ - ଆମାଜନ

ଚଳିତ ସପ୍ତାହରୁ ଆମାଜନରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ(Massive layoffs begin in Amazon) । ସୋସିଆଲ ମିଡିଆରେ ଅଭିଜ୍ଞତା ସେୟାର କରିବା ସହ ଚାକିରି ପାଇଁ ନିବେଦନ କରୁଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ

Amazon Layoffs: ଆମାଜନରେ ଛଟେଇ ଆରମ୍ଭ, ଚାକିରି ପାଇଁ ସୋସିଆଲ ମିଡିଆରେ କର୍ମଚାରୀଙ୍କ ନିବେଦନ
Amazon Layoffs: ଆମାଜନରେ ଛଟେଇ ଆରମ୍ଭ, ଚାକିରି ପାଇଁ ସୋସିଆଲ ମିଡିଆରେ କର୍ମଚାରୀଙ୍କ ନିବେଦନ

By

Published : Nov 17, 2022, 2:42 PM IST

ସାନ ଫ୍ରାନ୍ସିସ୍କୋ: ଟ୍ବିଟର ପରେ ଆମାଜନରେ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ(Massive layoffs begin in Amazon) । ଚଳିତ ସପ୍ତାହରୁ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ନେଇ ଆମେରିକାର ମିଡିଆ ରିପୋର୍ଟ ବୁଧବାର ସ୍ପଷ୍ଟ କରିଛି । ହାର୍ଡୱେର୍ ମୁଖ୍ୟ ଡେବ୍ ଲିମ୍ପ କର୍ମଚାରୀମାନଙ୍କୁ କହିଛନ୍ତି ଯେ, "ଗଭୀର ସମୀକ୍ଷା ପରେ ଆମେ କିଛି ଟିମ୍ ଏବଂ କାର୍ଯ୍ୟକ୍ରମକୁ କମ କରିବାକୁ ନିଷ୍ପତ୍ତି ନେଇଛୁ । ଛଟେଇକୁ ନେଇ ମୁଁ ବହୁତ ଦୁଃଖିତ, କାରଣ ଏହି ପର୍ଯ୍ୟାୟ ଶେଷ ପରେ ଆମେ ନିଶ୍ଚିତ ରୂପେ ଜଣେ ଦକ୍ଷ ଆମାଜନ୍ କର୍ମଚାରୀଙ୍କୁ ହରାଇବୁ ।"

ଲିମ୍ପ କହିଛନ୍ତି ଯେ, "କମ୍ପାନୀ ପ୍ରଭାବିତ ହୋଇଥିବା କର୍ମଚାରୀଙ୍କୁ ପୂର୍ବୁର ଏନେଇ ସୂଚିତ କରିଥିଲା ଏବଂ ନୂତନ ନିଯୁକ୍ତି ଖୋଜିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହାୟତା ଓ ସହଯୋଗ ଯୋଗାଇବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ ଜାରି ରଖିବ ।" ଚଳିତ ସପ୍ତାହରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମାଜନ ପ୍ରାୟ ୧୦,୦୦୦ କର୍ପୋରେଟ ଏବଂ ଟେକ୍ନୋଲୋଜି ବିଭାଗରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି । କମ୍ପାନୀ ଆରମ୍ଭରୁ ଏହା ସବୁଠୁ ବଡ ଛଟେଇ ହେବ ।

ଅନ୍ୟପଟେ, ଆମାଜନ ଦ୍ବାରା ଛଟେଇ ହୋଇଥିବା ଅନେକ କର୍ମଚାରୀ ସୋସିଆଲ ମିଡିଆରେ ସେମାନଙ୍କର ଛଟେଇ ବାବଦରେ ନିଜସ୍ବ ଅଭିଜ୍ଞତା ସେୟାର କରିଛନ୍ତି । ଆମାଜନର ଜଣେ ପୂର୍ବତନ କର୍ମଚାରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, "ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ, ଛଟେଇ କର୍ମଚାରୀ ମଧ୍ୟରେ ମୁଁ ଅଛି । ବର୍ତ୍ତମାନ ମୁଁ ଏହାର ବିକଳ୍ପ ଖୋଜୁଛି । ଜାଭା ଡେଭଲପର୍ ଭାବରେ ଯଦି କାହାର କିଛି ସୁଯୋଗ ଅଛି ଦୟାକରି ମୋତେ ଏହି କଷ୍ଟ ସମୟରେ ସାହାଯ୍ୟ କରନ୍ତୁ ।" ସେହିପରି ଅନ୍ୟ ଜଣେ କର୍ମଚାରୀ କହିଛନ୍ତି, "ମୁଁ ଆମାଜନ ସହିତ ୬ ବର୍ଷ ରହିଥିଲି । ଆଲେକ୍ସା ଏହାର ପ୍ରଥମ ଦିନରୁ ଆଗକୁ ବଢୁଥିବା ଆମେ ଦେଖିଛୁ ଏବଂ ଏହା ଏକ ଅବିଶ୍ୱସନୀୟ ଯାତ୍ରା । ଆମେ ଏକାଠି ଏହାକୁ ନିର୍ମାଣ କରିଥିବାରୁ ମୁଁ ଗର୍ବିତ ।"

ତେବେ ଛଟେଇ କର୍ମଚାରୀଙ୍କ ମଧ୍ୟରେ ଭଏସ୍-ଆସିଷ୍ଟାଣ୍ଟ ଆଲେକ୍ସା, ଏହାର ରିଟେଲ ବିଭାଗ ଏବଂ ହ୍ୟୁମାନ ରିସୋର୍ସ ବିଭାଗ ରହିଛି । ଡିସେମ୍ବର ୩୧ ସୁଦ୍ଧା, ଆମାଜନରେ ପାଖାପାଖି ୧.୬ ନିୟୁତ ଫୁଲ୍ ଟାଇମ୍ କର୍ମଚାରୀ ଏବଂ ପାର୍ଟ ଟାଇମ୍ କର୍ମଚାରୀ ରହିଥିଲେ । ରିପୋର୍ଟ ହୋଇଥିବା କଟକଣା ଆମାଜନର କର୍ପୋରେଟ୍ କର୍ମଶାଳାର ୩ ପ୍ରତିଶତ ଏବଂ ବିଶ୍ବ କର୍ମଶାଳାର ଏକ ପ୍ରତିଶତ ସହିତ ସମାନ । ସେପଟେ, କିଛିଦିନ ତଳେ ୧୩ ପ୍ରତିଶତରୁ ଅଧିକ କର୍ମଜୀବୀ କିମ୍ବା ପ୍ରାୟ ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଘୋଷଣା କରିଥିଲା ।

ବର୍ତ୍ତମାନ ଏଲନ୍ ମସ୍କଙ୍କ ମାଲିକାନା ଥିବା ଟ୍ୱିଟର ମଧ୍ୟ ପ୍ରାୟ ୩୭୦୦ କର୍ମଚାରୀଙ୍କୁ ଛଟେଇ କରିସାରିଛି । ତେବେ କୋଭିଡ ମହାମାରୀ ପରେ ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସୁଥିବା ସମୟରେ ବିଶ୍ବର ଏପରି ବଡ ବଡ କମ୍ପାନୀଙ୍କ ଛଟେଇ ପ୍ରକ୍ରିୟାକୁ ନେଇ ନାନା ଆଶା ଆଶଙ୍କା ସୃଷ୍ଟି ହେଉଛି । ପ୍ରତିଟି କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି କିମ୍ବା ସୁରକ୍ଷିତ ଚାକିରି ପାଇଁ ନିଶ୍ଚିତ ରୂପେ ନିୟମ ପ୍ରଣୟନର ଆବଶ୍ୟକତା ପଡିଛି । ନଚେତ୍ ଆଗକୁ ଲୋକେ ଘରୋଇ ସଂସ୍ଥାରେ କାମ କରିବାକୁ କୁଣ୍ଠାବୋଧ କରିପାରନ୍ତି ।

ABOUT THE AUTHOR

...view details