ହାଇଦ୍ରାବାଦ:ସ୍ବାସ୍ଥ୍ୟ ହିଁ ସମ୍ପଦ । ବିଜ୍ଞାନର ଅଗ୍ରଗତି ସହ ମଣିଷ ନାନା ପ୍ରକାର ମାରାତ୍ମକ ବ୍ୟାଧିର ଶିକାର ହେଉଛି । ତେଣୁକରି ସାମ୍ପ୍ରତିକ ସ୍ଥିତିରେ ସ୍ବାସ୍ଥ୍ୟବୀମା ପଲିସିର ପ୍ରୟୋଜନୀୟତା ବୃଦ୍ଧି ପାଇଛି । ବିଶେଷକରି କୋଭିଡ ଭୟାବହତା ମଧ୍ୟରେ ସ୍ବାସ୍ଥ୍ୟବୀମା ସମ୍ପର୍କରେ ଲୋକେ ଅଧିକ ସଚେତନ ହୋଇଛନ୍ତି । ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ ମଧ୍ୟ ବୀମାଧାରକଙ୍କୁ ଯଥାଶୀଘ୍ର ବୀମା କ୍ଲେମ୍(ପ୍ରାପ୍ୟ ବାବଦ ଦାବି) ସେଟଲମେଣ୍ଟ କରିବାକୁ ପରାମର୍ଶ ଜାରି କରିଛି । ତେବେ ଯଦି ପଲିସିଧାରକ କିଛି ବିଷୟ ପ୍ରତି ସତର୍କ ରୁହନ୍ତି, ତାହାହେଲେ ଅସୁସ୍ଥତା ସମୟରେ ସେ ବିନା କୌଣସି ବାଧାରେ ନଗଦ ବିହୀନ ଚିକିତ୍ସା ପାଇପାରିବେ ।
ସମ୍ପ୍ରତ୍ତି ଅଧିକାଂଶ ଲୋକେ ଏକାଧିକ ପଲିସି ନେଉଛନ୍ତି । କର୍ମଚାରୀଙ୍କ ନିକଟରେ ଗୋଷ୍ଠୀ ସ୍ବାସ୍ଥ୍ୟବୀମା(Group Health Insurance Policy) ରହିଥିଲେ ହେଁ ସେମାନେ ଦ୍ବିତୀୟ ପଲିସି ଚୟନ କରୁଛନ୍ତି । ଏହି କାରଣରୁ ଅସୁସ୍ଥତା ସମୟରେ ପ୍ରଥମେ କେଉଁ ପଲିସି ବ୍ୟବହାର କରିବେ ସେନେଇ ଦ୍ବନ୍ଦ୍ୱରେ ପଡୁଛନ୍ତି । ଆପଣ ଜାଣନ୍ତି କି, ଏକ ସମୟରେ ଦୁଇଟି ପଲିସିର ବ୍ୟବହାର କରି କ୍ଷତିପୂରଣ ଦାବି କରିବା ଠକେଇ ଭାବେ ଗ୍ରହଣ କରାଯାଏ । ତେଣୁ କଦାପି ଏପରି କରନ୍ତୁ ନାହିଁ । ଯଦି ହସ୍ପିଟାଲ ଖର୍ଚ୍ଚ ଗୋଟିଏ ପଲିସିର ଲିମିଟ୍ଠାରୁ ଅଧିକ ହୁଏ, ଏ କ୍ଷେତ୍ରରେ ଦ୍ବିତୀୟ ପଲିସି ବ୍ୟବହାର ହୋଇପାରିବ ।
ଧରାଯାଉ, ଆପଣ କାର୍ଯ୍ୟରତ ଥିବା କମ୍ପାନୀ ଦ୍ବାରା ପ୍ରଦତ୍ତ ଗ୍ରୁପ ପଲିସିର ମୂଲ୍ୟ ୫ ଲକ୍ଷ ଟଙ୍କା । ଆପଣ ନିଜେ ଆଉ ୫ ଲକ୍ଷର ପଲିସି ନେଇଛନ୍ତି । ହସ୍ପିଟାଲରେ ଆପଣଙ୍କ ଚିକିତ୍ସା ଖର୍ଚ୍ଚ ୮ ଲକ୍ଷ ଟଙ୍କା ରହିଛି । ଏପରି ସ୍ଥଳେ ପ୍ରଥମେ ଆପଣ ନିଜ ଅଫିସ ବୀମା ଉପଯୋଗ କରନ୍ତୁ । ଏହାପରେ ନିଜ ନେଇଥିବା ପଲିସି କ୍ଲେମ୍ କରନ୍ତୁ । କେଉଁ ବୀମା ପ୍ରଥମେ ବ୍ୟବହାର କରାଯିବ ଏବଂ କେଉଁଟି ପରେ ସେ ବିଷୟରେ ଆପଣ ଦ୍ବନ୍ଦରେ ଅଛନ୍ତି କି ? ମନେକର ଆପଣ ବ୍ୟକ୍ତିଗତ ପଲିସି ପରିବର୍ତ୍ତେ ଟପ୍ଅପ୍ ପଲିସି ନେଇଛନ୍ତି । ତାହାଲେ ମୂଳ ପଲିସି ଏବଂ ଅବଶିଷ୍ଟ ପରିମାଣ ପାଇଁ ଟପ୍ଅପ୍ର ବ୍ୟବହାର କରନ୍ତୁ ।