ମୁମ୍ବାଇ:ୟୁକ୍ରେନ-ଋଷ ମଧ୍ୟରେ ଚାଲୁଥିବା ଯୁଦ୍ଧର ପରିମାଣ ସାରା ବିଶ୍ବ ଭୋଗୁଛି । ୟୁକ୍ରେନ ସଙ୍କଟ ବିଶ୍ବ ଷ୍ଟକ ବଜାରକୁ ଧରାଶାୟୀ କରିଦେଇଛି । ବିଶ୍ବ ବଜାରରେ ଦୁର୍ବଳ ଧାରା ଭିତରେ ଭାରତୀୟ ସେୟାର ମାର୍କେଟ ଆଜି(ଶୁକ୍ରବାର) ନାଲି ସଙ୍କେତରେ ଖୋଲିଛି । କାରବାର ଆରମ୍ଭରୁ ସେନସେକ୍ସ(Sensex) 850 ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ୩୦ ସେୟାର ଆଧାରିତ ବିଏସଇ(BSE) ସୂଚକାଙ୍କ ଆଜି ଆରମ୍ଭରୁ 851.99 ପଏଣ୍ଟ ଖସି 54,250.69 ରହିଥିଲା । ନିଫ୍ଟି(Nifty) ମଧ୍ୟ 185.60 କମି 16,312.45ରେ ପହଞ୍ଚିଥିଲା ।
ସେନସେକ୍ସ ପ୍ୟାକରେ କାରବାର ଆରମ୍ଭରେ ଏସିଆନ ପେଣ୍ଟସ୍, ମାରୁତି ସୁଜୁକି ଇଣ୍ଡିଆ, ଏକ୍ସିସ ବ୍ୟାଙ୍କ, ୱିପ୍ରୋ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲାଲ୍ ସଙ୍କେତରେ ଥିଲେ । ଏହି ସବୁ ଷ୍ଟକ ମୂଲ୍ୟରେ 4.51 ପ୍ରତିଶତ ହ୍ରାସ ଆସିଛି । ମାର୍କେଟର ତାଜା ଅପଡେଟ୍ ଅନୁଯାୟୀ, ସେନସେକ୍ସ ପୁଣି 1050.65 ପଏଣ୍ଟ ଖସି ଏବେ 54,052.03ରେ କାରବାର କରୁଛି । ନିଫ୍ଟି ମଧ୍ୟ 304.40 ପଏଣ୍ଟର ବଡ ହ୍ରାସ ସହ 16,193.65ରେ ରହିଛି ।