ମୁମ୍ବାଇ:ସେୟାର ବଜାରରେ ରେକର୍ଡ । ସେନସେକ୍ସ ଓ ନିଫ୍ଟ ଉଭୟ ରେକର୍ଡ ପରେ ରେକର୍ଡ କରୁଛନ୍ତି । ସପ୍ତାହର ଶେଷ କାରବାର ଦିବସରେ ଅର୍ଥାତ୍ ଆଜି ସେନସେକ୍ସ ନିଜ ଇତିହାସରେ ପ୍ରଥମ ଥର 58 ହଜାର ଅତିକ୍ରମ କରିଛି । ଶୁକ୍ରବାର ସକାଳ ପାଖାପାଖି 9ଟା 19 ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 263 ଅଙ୍କ ଉଛୁଳି 58, 115.69ରେ ପହଞ୍ଚିଛି ।
ସକାଳ ସମୟରେ ସେନସେକ୍ସ 131 ଅଙ୍କ ବୃଦ୍ଧି ସହ 57, 983.45ରେ ଖୋଲି ଥିଲା । ଏହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି 28ବୃଦ୍ଧି ପାଇ 17,262.45ରେ ଖୋଲି କିଛି ସମୟ ଭିତରେ 77 ଅଙ୍କ ଉଛୁଳି 17,311.95ରେ ପହଞ୍ଚିଥିଲା । ପ୍ରାରମ୍ଭିକ କାରବାରରେ 1,315 ସେୟାରରେ ବୃଦ୍ଧି ଆସିଛି, 348 ସେୟାର ମୂଲ୍ୟ ହ୍ରାସ ହୋଇଛି ଏବଂ 98ଟି ସେୟାରରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ ।