ନୂଆଦିଲ୍ଲୀ: paytm ଅପରେଟର କମ୍ପାନୀ one97 communications ଆଇପିଓକୁ ନେଇ ଯେତିକି ଚର୍ଚ୍ଚା ଚାଲିଥିଲା, ଏହାର ଲିଷ୍ଟିଂ ମଧ୍ୟ ସେତିକି ଦୁର୍ବଳ ହୋଇଛି । ଦେଶର ସବୁଠୁ ବଡ ୧୮,୩୦୦ କୋଟି ଟଙ୍କାର ଆଇପିଓ ଆଣିବାକୁ ଥିବା paytmର ସେୟାର ଆଜି BSE ଏବଂ NSEରେ ଲିଷ୍ଟ ହୋଇଯାଇଛି । ହେଲେ କମ୍ପାନୀର ସେୟାର ମାର୍କେଟରେ ଡେବ୍ୟୁ ଖୁବ୍ ଦୁର୍ବଳ ରହିଛି । କାରବାର ଆରମ୍ଭର କିଛି ସମୟ ମଧ୍ୟରେ କମ୍ପାନୀର ସେୟାର ମୂଲ୍ୟରେ ବଡ ଧରଣର ହ୍ରାସ ଘଟିଛି । ଗୁରୁବାର paytm ପ୍ୟାରେଣ୍ଟ କମ୍ପାନୀ One97 Communications Ltdର ନୈରାଶ୍ୟଜନକ ଲିଷ୍ଟିଂ ପରେ କାରବାର ଆରମ୍ଭରୁ ଏହାର ସେୟାର ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଯଦ୍ବାରା paytmରେ ନିବେଶ କରିଥିବା ନିବେଶକମାନେ ୩୫ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ।
ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କମ୍ପାନୀ ସେୟାର ନିଜ ଇସ୍ୟୁ ପ୍ରାଇସ ୨,୧୫୦ ଟଙ୍କାରୁ ୯.୩ ପ୍ରତିଶତ ବା ୨୦୦ ଟଙ୍କା ହ୍ରାସ ପାଇ ୧,୯୫୦ ଟଙ୍କାରେ ଖୋଲିଛି । ଯାହାପରେ ଏହାର ସେୟାର ମୂଲ୍ୟରେ ପୁଣି ଭାରି ହ୍ରାସ ଆସିଛି ଏବଂ ଷ୍ଟକ ୨୧ ପ୍ରତିଶତ ଯାଏଁ ଖସିଯାଇଛି । ଯାହା paytm ଆଇପିଓ ନିବେଶକଙ୍କୁ ଶକ୍ତ ଝଟକା ଦେଇଛି । ତେବେ ଏକ ଦୁର୍ବଳ ଆରମ୍ଭ ସତ୍ତ୍ବେ ମଧ୍ୟ କମ୍ପାନୀର ମାର୍କେଟ ଭ୍ୟାଲୁଏସନ(ମୋଟ ବଜାର ପୁଞ୍ଜି ପରିମାଣ) ୧ ଲକ୍ଷ କୋଟି ଟଙ୍କା ପାର୍ କରିଛି ।