ନୂଆଦିଲ୍ଲୀ: ସରକାରଙ୍କ କୋଭିଡ-19 ପ୍ୟାକେଜରେ ନାଖୁସ ବଜାର । ଶୁକ୍ରବାର ମଧ୍ୟ କାରବାର ଖସିଛି । ସେନସେକ୍ସ ଓ ନିଫ୍ଟି ଉଭୟ ସେୟାର ସୂଚକାଙ୍କ ତଳମୁହାଁ ରହିଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 25 ପଏଣ୍ଟ ହ୍ରାସ ପାଇ 31,097.73 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି ସାମାନ୍ୟ ହ୍ରାସ ସହ 9137 ପଏଣ୍ଟରେ କାରବାର ବନ୍ଦ କରିଛି ।
ଗୁରୁବାର ମଧ୍ୟ ବଜାରରେ ଦୁର୍ବଳ ସଙ୍କେତ ଦେଖାଦେଇଥିଲା । ପ୍ରକାଶ ଯେ, ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧିନରେ ସରକାର ଆର୍ଥିକ ପ୍ୟାକେଜ ଦ୍ବିତୀୟ ପର୍ଯ୍ୟାୟ ଘୋଷଣା କରିସାରିଛନ୍ତି । ଯେଉଁଥିରେ ଗୁରୁବାର କୃଷକ, ପ୍ରବାସୀ ଶ୍ରମିକ, ଷ୍ଟ୍ରିଟ ଭେଣ୍ଡର୍ସ ପାଇଁ ରିଲିଫ ପ୍ୟାକେଜ ରହିଥିଲା । ତେବେ ଆଜି ଅର୍ଥମନ୍ତ୍ରୀଙ୍କ ଘୋଷଣାରେ ନିବେଶକ କେତେ ସନ୍ତୁଷ୍ଟ ତାହା ପରବର୍ତ୍ତୀ କାରବାରରେ ଜଣାପଡିବ ।
ସପ୍ତାହର କାରବାର ଶେଷ ଦିନରେ ସେନସେକ୍ସର 30 ସେୟାର ମଧ୍ୟରୁ 20 ସେୟାର ନାଲି ଆଲର୍ଟରେ ବନ୍ଦ ହୋଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ 4.5 ପ୍ରତିଶତ, ଏକ୍ସିସ ବ୍ୟାଙ୍କରେ 3 ପ୍ରତିଶତ, ଇଣ୍ଡସାଇଣ୍ଡ ବ୍ୟାଙ୍କରେ 2.5 ପ୍ରତିଶତ , ହିରୋ ମାର୍କେଟକ୍ୟାପରେ 2 ପ୍ରତିଶତ ହ୍ରାସ ପାଇଛି । ସେପଟେ ନିଫ୍ଟିର ପ୍ରମୁଖ 11 ସୂଚକାଙ୍କ ମଧ୍ୟରୁ 9 ଟି ନାଲି ଆଲର୍ଟରେ କାରବାର ବନ୍ଦ କରିଛି ।