ତେଲ ଉପରେ ନିର୍ଭର ଦେଶର ଅର୍ଥନୀତି । ବିନା ପେଟ୍ରୋଲ-ଡିଜେଲରେ ଯାତାୟତଠୁ କାରବାର ସବୁ ବନ୍ଦ । ବିଶ୍ବ ଅଭିବୃଦ୍ଧିରେ ମଧ୍ୟ ତୈଳ ଦରଦାମରେ ସ୍ଥିରତା ଅତ୍ୟାବଶ୍ୟକ। ଏଇଥିପାଇଁ ତ ତେଲ ମହଙ୍ଗା ହେଲେ ଅର୍ଥବ୍ୟବସ୍ଥା ଦୋହଲି ପଡୁଛି। ଏପଟେ କିନ୍ତୁ ଭାରତ ତାର ଅଶୋଧିତ ତୈଳ ଚାହିଦାର 80 ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ । ଏପରି ସମୟରେ ସ୍ଥିର ଦାମରେ ଅଶୋଧିତ ତୈଳ ଆମଦାନୀ ପାଇଁ ଦରକାର ଏକ ବିଶ୍ବାସନୀୟ ସ୍ରୋତ। ଆଉ ଏହି ସନ୍ଧାନର ପ୍ରଥମ ଫୋକସରେ ଦୁନିଆର ସବୁଠୁ ବଡ଼ ତୈଳ ରପ୍ତାନୀକାରୀ ଦେଶ ସାଉଦି ଆରବ।
ଭାରତର ଉର୍ଜା ଚାହିଦା ପୂରଣ ପାଇଁ ସାଉଦି ଆରବର ଭୂମିକା ଭରସାଯୋଗ୍ୟ ହୋଇପାରିବ । କାରଣ ଆମେରିକା ତେଲ ପାଇଁ ଆତ୍ମନିର୍ଭରଶୀଳ । ହେଲେ ଭାରତ ଓ ଚୀନ ଅଶୋଧିତ ତେଲ ଆମଦାନୀରେ ପ୍ରଥମ ଲିଷ୍ଟରେ ରହିବେ।
ଇରାନ ପରେ ଭାରତର ତେଲ ଚାହିଦା ସାଉଦି ଆରବ ପୂରଣ କରୁଛି । ଗତ ଆର୍ଥିକ ବର୍ଷ (2018-19)ରେ ସାଉଦି ଆରବ ଭାରତକୁ 4.03 କୋଟି ଟନ ଅଶୋଧିତ ତୈଳ ବିକ୍ରି କରିଥିଲା । ସେହି ସମୟରେ ଭାରତର ଆମଦାନୀ 20.73 କୋଟି ଟନ ରହିଥିଲା। ଭାରତ ତାର ଅଶୋଧିତ ତୈଳ ଚାହିଦାର18 ପ୍ରତିଶତ ସାଉଦି ଅରବରୁ ଆମଦାନୀ କରିଥାଏ । ରିପୋର୍ଟ ମୁତାବକ, ପ୍ରତି ମାସରେ ଭାରତ ସାଉଦ ଆରବ ଠାରୁ ପାଖାପାଖୀ 200,000 ଟନ ଏଲପିଜି କିଣିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2ଦିନିଆ ସାଉଦି ଆରବ ଗସ୍ତ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର କରିଥିଲେ । ଯାହାକି 2 ଦେଶ ଭିତରେ ଶକ୍ତି ସମ୍ବନ୍ଧକୁ ଏକ ନୂଆ ଶିଖରରେ ପହଞ୍ଚିବ। ଏହି ଧାରାରେ ଭାରତ ଓ ସାଉଦି ଆରବ ମଧ୍ୟରେ କ୍ରୟ-ବିକ୍ରୟ ସମ୍ବନ୍ଧ ଆହୁରି ଘନିଷ୍ଠ କରିବାକୁ ରଣନୀତି ତିଆରି ହେଉଛି । ଏହି କ୍ରମରେ ଇଣ୍ଡିଆନ ଷ୍ଟ୍ରାଟାଜିକ ପେଟ୍ରୋଲିୟମ ରିଜର୍ବ୍ସ ଲିମିଟେଡ ଓ ସାଉଦି ଆରମକୋ ମଧ୍ୟରେ ପ୍ରାରମ୍ଭିକ ବୁଝମଣା ହୋଇଛି। ଏହାର ପରିମାଣ ସ୍ବରୂପ କର୍ଣ୍ଣାଟକରେ ହେବାକୁ ଥିବା ଦ୍ବିତୀୟ ବୃହତ୍ତ ଇନ୍ଧନ ଭଣ୍ଡାରରେ ସାଉଦିଆରବର ବଡ ଭୂମିକା ରହିବ।
ଗତ ବର୍ଷ ଯୋଜନାବଦ୍ଧ 65 ଲକ୍ଷ ମେଟ୍ରିକ ଟନ ଅଶୋଧିତ ତୈଳ ପାଇଁ ଓଡିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ପାଣ୍ଡୁରରେ ରଣନୀତିକ ପେଟ୍ରୋଲିୟମ ରିଜର୍ଭ ନେଇ ମଞ୍ଜୁରୀ ଦିଆଯାଇଛି । ଏହା ବ୍ୟତୀତ ଆହୁରି 3ଟି ସ୍ଥାନରେ ଅଶୋଧିତ ତୈଳ ଭଣ୍ଡାର ପାଇଁ ସ୍ଥାନ ଚୟନ ହୋଇଛି।