ନୂଆଦିଲ୍ଲୀ: ଦୀପାବଳୀ ପୂର୍ବରୁ ଚାଷୀଙ୍କୁ ସରକାର ଦେବେ ବଡ ଭେଟି । ବଢିପାରେ ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି) । ବୁଧବାର ହେବାକୁ ଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଚଳିତ ଫସଲ ବର୍ଷ 2019-20(ଜୁଲାଇ-ଜୁନ)ରେ ଏନେଇ ନିଷ୍ପତ୍ତି ନେବା ନେଇ ସମ୍ଭାବନା ରହିଛି ।
ରବି ଫସଲ ପାଇଁ ଚାଷୀ ପ୍ରସ୍ତୁତ । ଜମିରେ ମଞ୍ଜି ବୁଣିବାକୁ ସଜବାଜ । ଏଥିମଧ୍ୟରେ ସରକାର କେତେକ ପ୍ରମୁଖ ଫସଲର ଏମଏସପି ବଢାଇ ସୁନିଶ୍ଚିତ କରିବେ ଅନ୍ନଦାତାଙ୍କ ଆୟ । ପୂର୍ବରୁ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ(ସିଏସପପି) ଦ୍ବାରା ରବି ଫସଲର ଏମଏସପି ବଢାଇବାକୁ ସୁପାରିସ କରାଯାଇଥିଲା । ସେବେଠାରୁ ଏହାର ଫଳାଫଳକୁ ଅପେକ୍ଷା କରାଯାଇଛି । ତେବେ ଆଉ ବିଳମ୍ବ ନୁହେଁ । ଶୀଘ୍ର ଏହି ଅପେକ୍ଷା ଶେଷ ହେବ । କାରଣ ଆଜି ଏ ସମ୍ବନ୍ଧରେ ସରକାର ଘୋଷଣା କରିବେ।
ସୂଚନା ଅନୁଯାୟୀ, ସିଏସିପି ପକ୍ଷରୁ ଚଳିତ ରବି ସିଜନରେ ଗହମର ଏମଏସପି କ୍ବିଣ୍ଟାଲ ପିଛା 1,925କୁ ବୃଦ୍ଧି କରାଯାଇଛି । ସେହିପରି କ୍ବିଣ୍ଟାଲ ପିଛା ବାର୍ଲି 1525 ଟଙ୍କା ସୋରିଷ 4,425 ଟଙ୍କା, ଚଣା 4,825 ଟଙ୍କା , ମସୁରୀ ଡାଲି 4,800 ଟଙ୍କା ଓ ସୂର୍ଯ୍ୟମୁଖୀ 5,215 ଟଙ୍କା କରିବାକୁ ସୁପାରିସ ହୋଇଛି ।
ଗତ ସିଜନରେ (2018-19)ରେ କ୍ବିଣ୍ଟାଲ ପ୍ରତି ଗହମର ଏମଏସପି 1,840 ଟଙ୍କା ଓ ବାର୍ଲି 1,440 ଥିଲା । ସେହିପରି କ୍ବିଣ୍ଟାଲ ପିଛା ଚଣା 4,620ଟଙ୍କା , ମସୁରୀ ଡାଲି 4,200 ଟଙ୍କା ଓ ସୂର୍ଯ୍ୟମୁଖୀ4,945 ଟଙ୍କା ରହିଥିଲା ।
ଏଭଳି ଭାବେ ଗହମ ଓ ବାର୍ଲିର ଏମଏସପି କ୍ବିଣ୍ଟାଲ ପିଛା 85 ଟଙ୍କା ଓ ଚଣା, ମସୁରୀ, ସୋରିଷ, ସୂର୍ଯ୍ୟମୁଖୀ ଆଦି ପ୍ରମୁଖ ରବି ଫସଲର ସର୍ବନିମ୍ନ ସହାୟକ ମୁଲ୍ୟ ଯାଥାକ୍ରମେ 205, 325 , 225 ଏବଂ 270 ବଢାଇବାକୁ ଅପିଲ ହୋଇଛି।