ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ପାରିତ ହେଲା ଇ-ସିଗାରେଟ ବ୍ୟାନ ବିଲ । ଏହା ଅନୁଯାୟୀ ଭାରତରେ ଇ-ସିଗାରେଟ ଉତ୍ପାଦନ, ବିକ୍ରି, ଆମଦାନୀ, ରପ୍ତାନୀ, ପରିବହନ, ବଣ୍ଟନ, ମହଜୁଦ ଓ ବିଜ୍ଞାପନ ଉପରେ କଟକଣା ଲଗାଇବାକୁ ନିୟମ ଜାରି କରାଯାଇଛି ।
ପ୍ରକାଶ ଯେ, ଗ୍ରୁପ ଅଫ ମିନିଷ୍ଟର୍ସ (GoM) ଦ୍ବାରା ଇ-ସିଗାରେଟ ବ୍ୟାନ ଅଧ୍ୟାଦେଶ 2019କୁ ଯାଞ୍ଚ କରାଯାଇଛି । ଗ୍ରୁପ ଅଫ ମିନିଷ୍ଟରୀ ଏଥିରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ।
ଇ-ସିଗାରେଟ ନିଷେଧକୁ କୌଣସି ବ୍ୟକ୍ତିବିଶେଷ ଉଲଙ୍ଘନ କଲେ ଜୋରିମାନା ସହ ଦଣ୍ଡବିଧାନ ହେବା ନେଇ ସେପ୍ଟେମ୍ବରରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯଦି କୌଣସି ବ୍ୟକ୍ତି ପ୍ରଥମ ଥର ନିୟମର ଉଲଙ୍ଘନ କରେ ତେବେ ତାଙ୍କୁ ଗୋଟିଏ ବର୍ଷ ଜେଲ୍ ଓ 1 ଲକ୍ଷ ଟଙ୍କାର ଜୋରିମାନାର ବ୍ୟବସ୍ଥା ହୋଇଛି । ଠିକ୍ ସେହିପରି 1 ରୁ ଅଧିକ ଥର ନିୟମ ଉଲ୍ଲଙ୍ଘନ କଲେ 5 ଲକ୍ଷ ଟଙ୍କାର ଜୋରିମାନା ଓ ତିନି ବର୍ଷର ଜେଲ ଦଣ୍ଡାଦେଶ ଭୋଗିବେ
ଇ-ସିଗାରେଟ କ'ଣ ?
ଇ-ସିଗାରେଟ ଏକ ପ୍ରକାର ଇଲେକ୍ଟ୍ରୋନିକ ଇନହେଲର । ଦେଖିବାକୁ ପେନ ସଦୃଶ । ଯେଉଁଥିରେ ନିକୋଟିନ ଓ ଅନ୍ୟ ତରଳ ପଦାର୍ଥ ଭର୍ତ୍ତି ହୋଇଥାଏ । ଏହି ବ୍ୟାଟେରୀ ଚାଳିତ ପେନରେ ଥିବା ତରଳ ପଦାର୍ଥ ବାଷ୍ପ ବା ଧୂଆଁରେ ପରିଣତ ହୋଇଥାଏ । ଯାହାକୁ ପିଇବା ଦ୍ବାରା ସିଗାରେଟ ପିଇବା ଭଳି ଅନୁଭବ ହୋଇଥାଏ । ଇ-ସିଗାରେଟରେ ବ୍ୟବହୃତ ହେଉଥିବା ତରଳ ପଦାର୍ଥ କେତେବେଳେ ନିକୋଟିନ ହୋଇଥାଏ ତ କେତେବେଳେ ତା ଠାରୁ ଭୟଙ୍କର ରସାୟନ ପଦାର୍ଥ ହୋଇଥାଏ । ଏହାଛଡା କିଛି ଏପରି ବଡ ବ୍ରାଣ୍ଡର ଇ-ସିଗାରେଟ ମିଳେ ଯେଉଁଥିରେ ଫର୍ମାଲଡିହାଇଡ ଓ ଅନ୍ୟାନ୍ୟ ଭୟଙ୍କର ତତ୍ତ୍ବର ବ୍ୟବହୃତ ହୋଇଥାଏ ।