ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶକୁ ଲକଡାଉନ କରିଦିଆଯାଇଛି । ଏଥିଯୋଗୁଁ ସବୁ କ୍ଷେତ୍ରକୁ ବ୍ୟାପକ କ୍ଷତିର ସାମ୍ନା କରିବାକୁ ପଡୁଛି । ଏହି କାରଣରୁ ଆସନ୍ତା 2 ତ୍ରୈୟମାସରେ ଅଭିବୃଦ୍ଧି ଦର 3 ପ୍ରତିଶରୁ ଅଧିକ ହେଇପାରିବ ନାହିଁ । ଗୁରୁବାର ଏ ନେଇ ପୂର୍ବତନ ମୁଖ୍ୟ ପରିସଂଖ୍ୟନବିତ ପ୍ରଣବ ସେନ କହିଛନ୍ତି ।
ସେନ କହିଛନ୍ତି ଯେ, ଦେଶରେ 21 ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପ୍ରତିବନ୍ଧକ ଲଗାଯାଇଛି । ଫଳରେ ବେପାର ଠପ । ଏହା ଦ୍ବାରା ମୋଟ ଘରୋଇ ଉତ୍ପାଦ (ଜିଡିପି)ପାଖାପାଖି 5 ଲକ୍ଷ କୋଟି ଟଙ୍କା କମିପାରେ। ଫଳରେ ଆଗାମୀ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଆର୍ଥିତ ବୃଦ୍ଧି ଦର ବହୁତ କମ ରହିବ । ଯେଉଁଥିପାଇଁ 2024-25 ସୁଦ୍ଧା 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ପୂରଣ କରିବା କଷ୍ଟକର ହେବ ବୋଲି ସେନ ଆଶଙ୍କା କରିଛନ୍ତି ।
2019-20 ଅକ୍ଟୋବର-ଡିସେମ୍ବର ତ୍ରୈୟମାସରେ ଭାରତର ଆର୍ଥିକ ଅଭିବୃଦ୍ଧି 4.7 ପ୍ରତିଶତରେ ପହଞ୍ଚିଛି। ଯାହାକି 7 ବର୍ଷର ସର୍ବନିମ୍ନ ସ୍ତର । ଏହାପୂର୍ବରୁ, ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ଅବଧିରେ ସଂଶୋଧିତ ଆର୍ଥିକ ଅଭିବୃଦ୍ଧି ହାର 5.1 ପ୍ରତିଶତ ଥିଲା । ଯାହାର ଅନୁମାନ ପୂର୍ବରୁ 4.5 ପ୍ରତିଶତ ରଖାଯାଇଥିଲା। ତେବେ ସରକାର 2024-25 ସୁଦ୍ଧା ଦେଶ ଅର୍ଥନୀତି ଆକାର 5 ଟ୍ରିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ ରଖିଛନ୍ତି।