ନୂଆଦିଲ୍ଲୀ: ନୀତି ଆୟୋଗର ରପ୍ତାନୀ ତତ୍ପରତା ସୂଚକାଙ୍କ 2020ର ରିପୋର୍ଟ ପ୍ରକାଶ ପାଇଛି । ଏହି ଲିଷ୍ଟର ଶୀର୍ଷରେ ଗୁଜୁରାଟ ରହିଥିଲା ବେଳେ ଦ୍ବିତୀୟ ଓ ତୃତୀୟରେ ମହାରାଷ୍ଟ୍ର ଏବଂ ତାମିଲନାଡୁ ରହିଛି । ସେହିଭଳି ଚତୁର୍ଥରେ ରାଜସ୍ଥାନ ରହିଛି । ବଡ କଥା ହେଉଛି ଏହି ଲିଷ୍ଟର ଶ୍ରେଷ୍ଠ ଅଗ୍ରଣୀ 5 ରାଜ୍ୟରେ ଓଡିଶା ରହିଛି ।
ରପ୍ତାନୀ ତତ୍ପରତା ରେସରେ 58.23 ପଏଣ୍ଟ ହାସଲ କରି ଓଡିଶା, ତେଲେଙ୍ଗାନା , ହରିୟାଣା, କର୍ଣ୍ଣାଟକ, ଦିଲ୍ଲୀ, ପଞ୍ଜାବ ଏବଂ ଆନ୍ଧ୍ର ପ୍ରଦେଶକୁ ପଛରେ ପକାଇଛି ।
ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏହି ରିପୋର୍ଟ ପ୍ରକାଶ କରାଯାଇଥାଏ । ପ୍ରଥମ ଥର ପାଇଁ ନୀତି ଆୟୋଗ ଏଭଳି ରିପୋର୍ଟ ପ୍ରକାଶ କରିଛି । ଆଉ ଏହି କ୍ଷେତ୍ରରେ ଓଡିଶାର ପ୍ରଦର୍ଶନ ଭଲ ରହିଛି ।
ରିପୋର୍ଟ ମୁତାବକ, ଶ୍ରେଷ୍ଠ 10 ରାଜ୍ୟରେ 6 ଉପକୂଳ ରାଜ୍ୟ ରହିଛି । ଏଥିରେ ଗୁଜୁରାଟ , ମହାରାଷ୍ଚ୍ର, ତାମିଲନାଡୁ , ଓଡିଶା , କର୍ଣ୍ଣାଟକ ଓ କେରଳ ସାମିଲ ଅଛି । ଉପକୂଳ ରାଜ୍ୟ ବର୍ଗରେ ଓଡିଶା ଚତୁର୍ଥ ସ୍ଥାନରେ ଅଛି । ଏହି ସୂଚକାଙ୍କରେ ଜଣାପଡିଛି କି ରାଜ୍ୟରେ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ କେତେ ସବୁ ସୁବିଧା ଉପଲବ୍ଧ ରହିଛି ।
ରାଙ୍କ ପାଇଁ 11ଟି ସବ ପିଲର ବା ଉପ-ସ୍ତମ୍ବକୁ ବିଚାରକୁ ନିଆଯାଇଛି । ଏଥିରେ ରପ୍ତାନୀ, ପ୍ରୋତ୍ସାହନ ନୀତି, ଆନୁଷ୍ଠାନିକ ଢଞ୍ଚା , ବ୍ୟବସାୟିକ ପରିବେଶ , ଭିତ୍ତିଭୂମି, ପରିବହନ, ଆର୍ଥିକ ବ୍ୟବସ୍ଥା, ରପ୍ତାନୀ ଭିତ୍ତଭୂମି, ଗବେଷଣା , ବିକାଶ ଭିତ୍ତିଭୂମି, ବାଣିଜ୍ୟିକ ସହାୟତା ଆଦି ଦିଗ ରହିଛି ।
ନୀତି ଆୟୋଗର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି କି, ରପ୍ତାନୀ ତତ୍ପରତା ସୂଚୀ ହେଉଛି ତଥ୍ୟ ପରିଚାଳନା ପ୍ରୟାସ । ରପ୍ତାନୀକୁ ବଢାଇବା ପାଇଁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦିଗକୁ ଚିହ୍ନଟ ଏହାର ଲକ୍ଷ୍ୟ । ଆଞ୍ଚଳିତ ସ୍ତରରେ ରପ୍ତାନୀ ପ୍ରଦର୍ଶନକୁ ପରୀକ୍ଷା ପାଇଁ ଏହି ସୂଚୀ ରାଜ୍ୟ ପାଇଁ ମାର୍ଗଦର୍ଶକ ହେବ ।
ଭୂମିରେ ଘେରି ରହିଥିବା ରାଜ୍ୟରେ ରାଜସ୍ଥାନ ପ୍ରଦର୍ଶନ ସବୁଠୁ ଭଲ ରହିଛି । ଯାହା ପରେ ତେଲେଙ୍ଗାନା ଓ ହରିଆନା ଅଛି । ପାହାଡିଆ ରାଜ୍ୟଗୁଡିକ ମଧ୍ୟରେ ଉତ୍ତରାଖଣ୍ଡ ଶୀର୍ଷରେ ରହିଛି । ଏହା ପଛକୁ ତ୍ରିପୁରା ଏବଂ ହିମାଞ୍ଚଳ ପ୍ରଦେଶ ରହିଛି । ଏହା ବ୍ୟତିତ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ମଧ୍ୟରେ ଦିଲ୍ଲୀରେ ପ୍ରଦର୍ଶନ ସବୁଠୁ ଆଗରେ ଅଛି । ଏହା ପଛକୁ ଗୋଆ ଏବଂ ଚଣ୍ଡିଗଡ ଅଛି । ଝାଡଖଣ୍ଡ ଏବଂ ଛତିଶଗଡ ଭଳି ରାଜ୍ୟ ମଧ୍ୟ ରପ୍ତାନୀ ବଢାଇବାକୁ ଅନେକ ପଦକ୍ଷେପ ଗ୍ରହଣ କରିଛି ।
ଏହି ରିପୋର୍ଟ ଉନ୍ମୋଚନ କରି ନୀତି ଆୟୋଗ ସିଇଓ କହିଛନ୍ତି କି, ନିରନ୍ତର ଅର୍ଥନୈତିକ ବିକାଶ ପାଇଁ ରପ୍ତାନୀ ବୃଦ୍ଧି ଅତ୍ୟନ୍ତ ଜରୁରୀ । ଆତ୍ମନିର୍ଭର ଭାରତ ଗଠନରେ ମଧ୍ୟ ଏହାର ଭୂମିକା ଅଧିକ ରହିଛି । ଜିଡିପିରେ ରପ୍ତାନୀ ଏବଂ ବିଶ୍ବ ବାଣିଜ୍ୟର ଅଂଶ ବଢାଇବା ପାଇଁ ଦେଶ କାମ ଜାରି ରଖିବା ଆବଶ୍ୟକ ।
ନୀତି ଆୟୋଗ ସିଇଓଙ୍କ ଅନୁସାରେ ଭାରତର ପ୍ରତି ବ୍ୟକ୍ତି ପିଛା ରପ୍ତାନୀ 241 ଡଲାର ରହିଛି । ଏହି ସଂଖ୍ୟା ଦକ୍ଷିଣ କୋରିଆରେ 11,900 ଡଲାର ଏବଂ ଚୀନରେ 18,000 ଡଲାର ରହିଛି । ଏଣୁ ଭାରତ ରପ୍ତାନୀ ବୃଦ୍ଧିରେ ଅଧିକ ସମ୍ଭାବନା ରହିଛି ।
ତେବେ ଭାରତୀୟ ସାମଗ୍ରୀ ରପ୍ତାନୀକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟକୁ ସ୍ବତନ୍ତ୍ର ବିଭାବ ଗଠନ କରିବା ଦରକାର ବୋଲି କାନ୍ତ କହିଛନ୍ତି । ଆଉ ଏଥିପାଇଁ କେନ୍ଦ୍ର ସରକାର ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ ଆଣିବା ଦରକାର ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, 2016-17ରେ ଭାରତର ମୋଟ ରପ୍ତାନୀ 27590 କୋଟି ଡଲାର ଥିଲା ବେଳେ 2017-18ରେ ଏହା 30350 କୋଟି ଡଲାର ଏବଂ 2018-19ରେ 33100 କୋଟି ଡଲାରକୁ ବୃଦ୍ଧି ହୋଇଥିଲା । ହେଲେ କୋଭିଡ-10 ଯୋଗୁଁ ଏହା 2020 ଏପ୍ରିଲ ରପ୍ତାନୀରେ 60 ପ୍ରତିଶତ ହ୍ରାସ ହୋଇଛି ।