ନୂଆଦିଲ୍ଲୀ: ଜୁଲାଇରେ ଏକ ଲକ୍ଷ କୋଟି ପାର୍ କଲା ଜିଏସଟି ରାଜସ୍ବ । ଦ୍ରବ୍ୟ ଓ ସେବା କର(ଜିଏସଟି) ସଂଗ୍ରହ ଜୁଲାଇରେ ୩୩ ପ୍ରତିଶତ ବୃଦ୍ଧି ସହ ୧.୧୬ କୋଟିରେ ପହଞ୍ଚିଛି । ରବିବାର ଆର୍ଥିକ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଜୁଲାଇ ଜିଏସଟି ରାଜସ୍ବ ସଂଗ୍ରହରୁ ଜଣାପଡୁଛି କି ମହାମାରୀ ଯୋଗୁଁ ବିଗିଡିଥିବା ଅର୍ଥବ୍ୟବସ୍ଥାର ପୁନଃରୁଦ୍ଧାର ତୀବ୍ର ଗତିରେ ହେଉଛି । ଗତ ବର୍ଷ ଅର୍ଥାତ୍ ୨୦୨୦ ଜୁଲାଇରେ ଜିଏସଟି ସଂଗ୍ରହ ୮୭ ହଜାର ୪୨୨ କୋଟି ଟଙ୍କା ଥିଲା । ଏହାର ପୂର୍ବ ମାସ ବା ଜୁନରେ ମୋଟ ୯୨ ହଡାର ୮୪୯ କୋଟି ଜିଏସଟି ରାଜସ୍ବ ସଂଗ୍ରହ ହୋଇଥିଲା ।
ଜୁଲାଇରେ ଜିଏସଟି ରାଜସ୍ବ ୧, ୧୬, ୩୯୩ କୋଟି :
ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷ ଜୁଲାଇରେ ମୋଟ ଜିଏସଟି ରାଜସ୍ବ ସଂଗ୍ରହ ୧ ଲକ୍ଷ ୧୬ ହଜାର ୩୯୩ କୋଟି ଟଙ୍କା ରହିଛି । ମୋଟ ଜିଏସଟି ସଂଗ୍ରହରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୨୨ ହଜାର ୧୯୭ କୋଟି, ରାଜ୍ୟ ଜିଏସଟି ୨୮ ହଜାର ୫୪୧ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି 57 ହଜାର ୮୬୪ କୋଟି ଏବଂ ସେସ୍ ୭ ହଜାର ୭୯୦ କୋଟି ଟଙ୍କା ରହିଛି ।
ଏଥିରେ ୩୧ ଜୁଲାଇ ଯାଏଁ ସଂଗୃହୀତ ଜିଏସଟି ରିଟର୍ଣ୍ଣ ବ୍ୟତୀତ ଏହି ସମାନ ଅବଧିରେ IGST ତଥା ଆମଦାନୀରୁ ଆଦାୟ ସେସ୍ ମଧ୍ୟ ଅନ୍ତର୍ଭୁକ୍ତ ।