ନୂଆଦିଲ୍ଲୀ: ଏୟାର ଇଣ୍ଡିଆର 100 ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଜୁନ 30କୁ ଘୁଞ୍ଚିଲା ବିଡିଂ ପ୍ରକ୍ରିୟା । କୋରୋନା କଟକଣା ଯୋଗୁଁ ବାଧାପ୍ରାପ୍ତ ଆର୍ଥିକ ଗତିବିଧିକୁ ନଜରରେ ରଖି ଏଭଳି ନିର୍ଣ୍ଣୟ ନିଆଯାଇଛି ।
ଏହାକୁ ମିଶାଇ ଏୟାର ଇଣ୍ଡିଆ ନିଲାମୀ ପାଇଁ ବିଡିଂ ଅବଧିକୁ ଦ୍ବିତୀୟ ଥର ବଢାଯାଇଛି । ଋଣ ଭାରରେ ବୁଡି ରହିଥିବା ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀର ବିକ୍ରି ପ୍ରକ୍ରିୟା ଜାନୁଆରୀ 27ରୁ ଆରମ୍ଭ ହୋଇଥିଲା ।
ନିବେଶ ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଡିଆଇପିଏଏମ) ପକ୍ଷରୁ ଏୟାର ଇଣ୍ଡିଆ ବିକ୍ରି ନେଇ ସଂଶୋଧିତ ରୁଚି ପତ୍ର ଜାରି କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ, କୋଭିଡ-19 ଯୋଗୁଁ ଉପୁଜିଥିବା ସ୍ଥିତି ଯୋଗୁଁ 'ଆଇବି (ଆଗ୍ରହୀ ବିଡର)ଙ୍କ ଅନୁରୋଧ ରକ୍ଷା କରି ବିଡିଂ ସମୟସୀମାକୁ ବଢାଇ ଦିଆଯାଇଛି ।
ଏହାପୂର୍ବରୁ ଜାନୁଆରୀରେ ରୁଚିପତ୍ର ଜାରି କରାଯାଇଥିଲା । ସେତେବଳେ ବିଡିଂ ଶେଷ ତାରିଖ 17 ମାର୍ଚ୍ଚ ଥିଲା । ଯାହାକୁ ବଢାଇ 30 ଏପ୍ରିଲକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହାକୁ 30 ଜୁନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।