ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଜାରି ରହିଛି ଲକଡାଉନ । ବହୁ ରପ୍ତାନୀ ଉପରେ ଲାଗିଛି ପ୍ରତିବନ୍ଧକ । ଉତ୍ପାଦନ ଠପ ସାଙ୍ଗକୁ କାରବାର ବନ୍ଦ । ଫଳରେ ଏଥିରେ ନିୟୋଜିତ ଦେଢ କୋଟି ଲୋକ ରୋଜଗାର ହରାଇପାନ୍ତି । ଏଥିସହ ଏହି କ୍ଷେତ୍ରରେ ଅଦାଦେୟ ଋଣ (ଏନପିଏ) ଭାର ବଢିପାରେ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଂଗଠନ (FIEO)ଅନୁମାନ କରିଛି ।
ସଙ୍ଗଠନର ଅଧ୍ୟକ୍ଷ ଶରଦ କୁମାର ସରାଫ ଶୁକ୍ରବାର କହିଛନ୍ତି ଯେ, ଅଧାରୁ ଅଧିକ ଅର୍ଡର ବାତିଲ ହୋଇଛି ଏହାସହ ବିଶ୍ବ ବାଣିଜ୍ୟର ଖରାପ ପରିସ୍ଥିତି ଯୋଗୁଁ ଏହି ଚାକିରି ଯିବାର ଆଶଙ୍କା ରହିଛି ।
ଏଥିଯୋଗୁଁ ରପ୍ତାନୀକାରୀଙ୍କ ପାଇଁ ସେ ରିଲିଫ ପ୍ୟାକେଜ ଦାବି କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଜୀବନ ସହ ଜୀବନଜାପନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦରକାର । ଏଥିରୁ କୌଣସି ଗୋଟିଏ ବାଛିବା ଦେଶ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ତେବେ ବର୍ତ୍ତମାନ ରପ୍ତାନୀକାରୀଙ୍କ ପାଖରେ ବହୁତ କମ ଅର୍ଡର ରହିଛି ।
ଏଭଳି ସମୟରେ ଯଦି କମ କର୍ମଚାରୀଙ୍କୁ ନେଇ କାରଖାନା ଚଲାଇବାକୁ ଅନୁମତି ଦିଆଯିବ ନାହିଁ ତେବେ ପ୍ରବଳ ମାତ୍ରାରେ କ୍ଷତି ହୋଇପାରେ । ଯାହାର ଭରଣା କରିବା ଅସମ୍ଭବ ।
କୋରୋନା ସଂକ୍ରମଣ ଯୋଗୁଁ ଦେଶରେ ବିଭିନ୍ନ ଉଦ୍ୟୋଗ ବେହାଲ ହୋଇଥିଲା ବେଳେ ଚୀନ ଆମ ବଜାରକୁ ହଡପ କରିବାରେ ଲାଗିଛି । କାରଖାନା ଆରମ୍ଭ କରି ଅର୍ଡର ନେବା ଚାଲୁ କଲାଣି । ତେବେ କ୍ଷୁଦ୍ର ଅର୍ଥବ୍ୟବସ୍ଥା ଥିବା ଶ୍ରୀଲଙ୍କା ଓ ବାଙ୍ଗାଲାଦେଶ ଭଳି ଆମର ମଧ୍ୟ ରିଲିଫ ପ୍ୟାକେଜ ଘୋଷଣା କରିବା ଆବଶ୍ୟକତା ରହିଛି ।