ନୂଆଦିଲ୍ଲୀ: ଦେଶର ଉତ୍କଟ ବ୍ୟାଧି ସାଜିଛି ବେକାରୀ ସମସ୍ୟା । ଭାରତର GDP ଏବଂ GST ସଂଗ୍ରହର ରେକର୍ଡ ଅଭିବୃଦ୍ଧି ସତ୍ତ୍ବେ ବଢୁଛି ବେରୋଜଗାର । ଅଗଷ୍ଟରେ ଉଚ୍ଚ GST ରାଜସ୍ବ ସହ ଉଚ୍ଚରେ ରହିଛି ବେରୋଜଗାରୀ ହାର । ଗତ ମାସରେ ପ୍ରାୟ ୧୬ ଲକ୍ଷ ଭାରତୀୟ ଚାକିରୀ ହରାଇଛନ୍ତି । CMIE (Centre for Monitoring Indian Economy)ର ତଥ୍ୟରୁ ଏହା ଜଣାଯାଇଛି ।
CMIE ଡାଟା ଅନୁଯାୟୀ, ଅଗଷ୍ଟ ମାସରେ ଜାତୀୟ ବେରୋଜଗାର ହାର ୮.୩୨ ପ୍ରତିଶତ ବୃଦ୍ଧି ହୋଇଛି । ଯାହା ଜୁଲାଇରେ ୬.୯୫ ପ୍ରତିଶତ ଥିଲା । ଜୁଲାଇରେ ସହରାଞ୍ଚଳ ବେକାରୀ ହାର ୮.୩ ପ୍ରତିଶତ ଥିବାବେଳେ ଅଗଷ୍ଟରେ ସହରାଞ୍ଚଳ ବେକାରୀ ହାର ପାଖାପାଖି ୧.୫ ପ୍ରତିଶତ ବୃଦ୍ଧି ସହ ୯. ୭୮ ପ୍ରତିଶତରେ ପହଞ୍ଚଛି । ଏଥିସହ ଗତ ମାର୍ଚ୍ଚରେ କୋଭିଡ ଦ୍ବିତୀୟ ଲହର ଭାରତ ଛୁଇଁବାର ଠିକ୍ କିଛି ଦିନ ପୂର୍ବରୁ ସହରୀ ବେକାରୀ ହାର ୭.୨୭ ପ୍ରତିଶତ ରହିଥିଲା । ସେହିପରି ଗତ ମାସରେ ୧.୩ ପ୍ରତିଶତ ବଢିଛି ଗ୍ରାମୀଣ ବେରୋଜଗାର । ଏହି ବୃଦ୍ଧି ସହ ଜୁଲାଇରେ ୬.୩ ପ୍ରତିଶତ ଥିବା ଗ୍ରାମାଞ୍ଚଳ ବେକାରୀ ହାର ଅଗଷ୍ଟରେ ୭. ୬୪ ପ୍ରତିଶତ ହୋଇଛି ।
କହି ରଖୁଛି କି, ଜୁଲାଇରେ ୩୯.୯୩ କୋଟି ଲୋକେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିଲେ । ହେଲେ ଅଗଷ୍ଟରେ ଏହି ସଂଖ୍ୟା କମି ୩୯.୭୭ କୋଟି ହୋଇଯାଇଛି । ଏହି ସମୟରେ ଗ୍ରାମୀଣ କ୍ଷେତ୍ରରେ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ନଷ୍ଟ ହୋଇଛି ।