ହାଇଦ୍ରାବାଦ:ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଯୋଗୁଁ କିଛି ଦିନ ହେଲା ବ୍ୟାଙ୍କ ସୁଧହାର ହ୍ରାସ ପାଉଛି । ବ୍ୟାଙ୍କଗୁଡିକ ସଞ୍ଚୟ ଖାତା/ସେଭିଂ ଆକାଉଣ୍ଟ ଉପରେ ମାତ୍ର ୩ ପ୍ରତିଶତରୁ ୩.୫ ପ୍ରତିଶତ ଯାଏଁ ସୁଧ ଦେଉଛନ୍ତି । ସେହିଭଳି ଫିକ୍ସ ଡିପୋଜିଟ ଉପରେ ମଧ୍ୟ ୫.୫ ପ୍ରତିଶତରୁ ଅଧିକ ସୁଧ ମିଳୁନାହିଁ । ଯେଉଁ କାରଣରୁ ଲୋକେ ନିଜର ଟଙ୍କା ସେଭିଂ ଆକାଉଣ୍ଟରେ ଜମା କରିବାକୁ ଆଗ୍ରହୀ ହେଉନାହାନ୍ତି । ଅପରପକ୍ଷେ, କୋଭିଡ ପରେ ବହୁସଂଖ୍ୟକ ଯୁବବର୍ଗ ଷ୍ଟକ ମାର୍କେଟରେ ଅଧିକ ଟଙ୍କା ବିନିଯୋଗ କରୁଥିବାର ଦେଖାଯାଉଛି । ଫଳସୂରୁପ କ୍ରିପ୍ଟୋକରେନ୍ସିଗୁଡିକ ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ସ୍ବଳ୍ପକାଳରେ ଅଧିକ ରିଟର୍ଣ୍ଣ ମିଳୁଥିବାରୁ ଲୋକେ ପୁଞ୍ଜି ବଜାର ମୁହାଁ ହେଉଛନ୍ତି । ଯଦିଓ ଆପଣଙ୍କ ନିକଟରେ ଏପରି ଅନେକ ନିବେଶ ବିକଳ୍ପ ରହିଛି, ହେଲେ ଏକ ସଞ୍ଚୟ ଖାତା ବା ସେଭିଂ ଆକାଉଣ୍ଟ ରହିବା ମଧ୍ୟ ଜରୁରୀ । ଯଦି ଆପଣ ସେଭିଂ ଆକାଉଣ୍ଟରେ ଅଧିକ ସୁଧ ଚାହୁଁଛନ୍ତି, ତେବେ ନିମ୍ନୋଲିଖିତ ବ୍ୟାଙ୍କଗୁଡିକରେ ଟଙ୍କା ଡିପୋଜିଟ କରିପାରିବେ ।
ଅଧିକ ସୁଧ ଦେଉଥିବା ବ୍ୟାଙ୍କ:
ଆଜିକାଲି କିଛି ଛୋଟ ଛୋଟ ବ୍ୟାଙ୍କ ସେଭିଂ ଆକାଉଣ୍ଟରେ ସର୍ବାଧିକ ସୁଧ ପ୍ରଦାନ କରୁଛନ୍ତି । ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ(AU Small Finance Bank) ସେଥିମଧ୍ୟରୁ ଅନ୍ୟତମ । ଏହା ସେଭିଂ ଆକାଉଣ୍ଟରେ ମାସିକ ୨ ହଜାରରୁ ୫ ହଜାର ନଗଦ କ୍ୟାସ ବାଲାନ୍ସ ଉପରେ ବାର୍ଷିକ ୭% ସୁଧ ଅଫର କରୁଛି । ଯଦି Equitas Small Finance Bankରେ ଆପଣ ୫ ଲକ୍ଷରୁ ୫୦ ଲକ୍ଷ ଯାଏଁ ଡିପୋଜିଟ କରୁଛନ୍ତି ତେବେ ଆପଣ ନିଜ ଜମା ଉପରେ ୭ ପ୍ରତିଶତ ସୁଧ ପାଇପାରିବେ ।
ଉଜ୍ଜୀବନ ବ୍ୟାଙ୍କ(Ujjivan Small Finance Bank) ମଧ୍ୟ ସେଭିଂ ଆକାଉଣ୍ଟରେ ୭% ସୁଧ ଦେଉଛି । ୧୦ କୋଟିରୁ ଅଧିକ ସଞ୍ଚୟ ଉପରେ ଏହି ବ୍ୟାଙ୍କ ଆପଣଙ୍କୁ ୬.୫% ସୁଧ ଦେବ । ସେହିପରି Suryoday Small Finance Bank ମଧ୍ୟ ନିଜ ଖାତାଧାରକଙ୍କୁ ୬.୨୫% ପ୍ରଦାନ କରୁଛି । ଏଥିପାଇଁ ଖାତାଧାରକଙ୍କୁ ମାସିକ ହାରାହାରି ୨,୦୦୦ ଟଙ୍କା ଆକାଉଣ୍ଟରେ ଜମା କରିବାକୁ ହେବ ।
ଏହି କ୍ରମରେ ନିଓ ବ୍ୟାଙ୍କ(Neo banks) ଏବଂ ପେମେଣ୍ଟ ବ୍ୟାଙ୍କ ମଧ୍ୟ ସେଭିଂ ଆକାଉଣ୍ଟ ଉପରେ ସାମାନ୍ୟ ଅଧିକ ସୁଧହାର ଦେଉଛନ୍ତି । ଯେତେବେଳେ ଆପଣ ଏହି ଆର୍ଥିକ ସଂସ୍ଥାର ଚୟନ କରୁଛନ୍ତି, ସେହି ସମୟରେ କେବଳ ସୁଧହାରକୁ ବିଚାରକୁ ନିଅନ୍ତୁ ନାହିଁ, ନେଟ୍ ବ୍ୟାଙ୍କ ସେବା, ଏଟିଏମ ଏବଂ ଶାଖାଗୁଡିକୁ ମଧ୍ୟ ଧ୍ୟାନରେ ରଖନ୍ତୁ । କହିରଖୁଛୁ କି, ନିଓ ବ୍ୟାଙ୍କ ଏକ ଡିଜିଟାଲ ବ୍ୟାଙ୍କ ଅଟେ । ଏହାର କୌଣସି ଶାରିରୀକ ଶାଖା(physical branches) ନଥାଏ । ତେଣୁ ଏହାକୁ ଶାଖା ବିହୀନ ଡିଜିଟାଲ ବ୍ୟାଙ୍କ ମଧ୍ୟ କୁହାଯାଇପାରିବ ।
ନିଓ ବ୍ୟାଙ୍କଗୁଡିକ ବିଶେଷଭାବେ ଟେକ୍ ସାଭି ୟୁଜର୍ସମାନଙ୍କୁ( tech-savvy users) ଟାର୍ଗେଟ କରିଥାଏ, ଯେଉଁମାନେ କି ମୋବାଇଲ ଆପ୍ ଏବଂ ଡିଜିଟାଲ ମିଡିଆ ଜରିଆରେ ଅର୍ଥ ନେଣଦେଣକୁ ଅଗ୍ରାଧିକାର ଦେଇଥାନ୍ତି । ଏହି ବ୍ୟାଙ୍କ ଟଙ୍କା ଟ୍ରାନ୍ସଫର, ଋଣ ଭଳି ଅନେକଗୁଡିଏ ସେବା ପ୍ରଦାନ କରିଥାଏ ।
ପେମେଣ୍ଟ ବ୍ୟାଙ୍କ ହେଉଛି, ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନରେ ଗଠିତ ବ୍ୟାଙ୍କର ଏକ ନୂଆ ରୂପ । ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ୧ ଲକ୍ଷ ଟଙ୍କା କିମ୍ବା ଏହାଠୁ ଅଧିକ ଡିପୋଜିଟ ଗ୍ରହଣ କରିପାରିବ । ହେଲେ ଏହା ବ୍ୟାଙ୍କ ଲୋନ ଦେଇପାରିବ ନାହିଁ କିମ୍ବାର କ୍ରେଡିଟ କାର୍ଡ ଇସ୍ୟୁ କରିପାରିବ ନାହିଁ । ହେଲେ ଏଥିରେ ନେଟ୍ ବ୍ୟାଙ୍କିଙ୍ଗ, ଏଟିଏମ କାର୍ଡ, ଡେବିଟ୍ ବ୍ୟାଙ୍କ ଏବଂ ମୋବାଇଲ ବ୍ୟାଙ୍କିଙ୍ଗର ସୁବିଧା ମିଳିଥାଏ ।