ଓଡିଶା

odisha

ETV Bharat / business

ଥଣ୍ଡାପଡିଲା ଚୀନ , ଆମେରିକା ଉପରୁ ହଟାଇଲା ଅତିରିକ୍ତ ଶୁଳ୍କ - ଥମିଲା ଟ୍ରେଡୱାର

ଥମିଛି ଆମେରିକା-ଚୀନ ଟ୍ରେଡ ୱାର । ଆମେରିକା 16ଟି ଉତ୍ପାଦ ଉପରେ ଲଗାଇଥିବା ଆମଦାନୀ ଶୁଳ୍କକୁ ହଟାଇବାକୁ ଡ୍ରାଗନ ଘୋଷଣା କରିଛି। ସେପ୍ଟେମ୍ବର 17ରୁ ଚୀନର ଶୁଳ୍କ ଛାଡ ନିଷ୍ପତ୍ତି ଲାଗୁ ହେବେ ।

ଡିଜାଇନ ଫଟୋ

By

Published : Sep 12, 2019, 1:48 PM IST

ନୂଆଦିଲ୍ଲୀ: ଥମିଛି ଆମେରିକା-ଚୀନ ଟ୍ରେଡ ୱାର । ବହୁ ବାଦ ବିବାଦ ପରେ ଦୀର୍ଘସମୟର ଏହି ଯୁଦ୍ଧରେ ଥଣ୍ଡା ପଡିଛି । ଭୟଙ୍କର ଭବିଷ୍ୟତକୁ ନଜରରେ ରଖି ଚୀନ ଏହାର ନିଷ୍ପତ୍ତିକୁ ଫେରାଇନେଇଛି । ଆମେରିକାର 16ଟି ଉତ୍ପାଦ ଉପରେ ଲଗାଇଥିବା ଆମଦାନୀ ଶୁଳ୍କକୁ ହଟାଇବାକୁ ଡ୍ରାଗନ ଘୋଷଣା କରିଛି । ତେବେ ଲମ୍ବା ସମୟର ଏହି ଯୁଦ୍ଧରେ ଚୀନ ପ୍ରଥମ ଥର ଏଭଳି ନରମ ଆଭିମୁଖ୍ୟ ଦେଖାଇଛି । ଯେଉଁଥିପାଇଁ ସମଗ୍ର ବିଶ୍ବ ଆଶ୍ବସ୍ଥି ପାଇଛି ।

ଆସନ୍ତା ମାସରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ଆଲୋଚନା ହେବ । ତେବେ ଏହା ପୂର୍ବରୁ ଅର୍ଥାତ ସେପ୍ଟେମ୍ବର 17ରୁ ଚୀନର ଶୁଳ୍କ ଛାଡ ନିଷ୍ପତ୍ତି ଲାଗୁ ହେବେ । ଯାହାକି ପୂରା ବର୍ଷକ ପାଇଁ ବଳବତ୍ତର ରହିବ । ଏ ନେଇ ଚୀନର ସୀମା ଶୁଳ୍କ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।

ବିଶ୍ବର 2ମହାଶକ୍ତି ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଭାରତ ସମେତ ବହୁ ରାଷ୍ଟ୍ର ପ୍ରଭାବିତ ହେଉଥିଲା । ଅନ୍ତର୍ଜାତୀୟ ବଜାରରେ ଡଲାଲ ମୁଲ୍ୟ ବୃଦ୍ଧି ଠାରୁ ରପ୍ତାନୀ ଓ ଆମଦାନୀରେ ସବୁକିଛି କ୍ଷତିଗ୍ରସ୍ତ ହେଉଥିଲା । ଏଥିସହ ଏହି ଯୁଦ୍ଧର ପରିମାଣ ଆମେରିକା ଓ ଚୀନକୁ ମଧ୍ୟ ଭାରୀ ପଡିଛି ।

ଉଭୟ ରାଷ୍ଟ୍ରର ଶୁଳ୍କ କଷଣ ନିଷ୍ପତ୍ତିରେ ଅଣନିଶ୍ବାସୀ ହୋଇପଡିଥିଲେ ବହୁ କମ୍ପାନୀ । ବଜାରରେ ସାଧାରଣ ଜିନିଷ ମହଙ୍ଗା ହୋଇପଡିଥିଲା । ଏପରିକି ପ୍ରଥମ ଥର ପାଇଁ ଅଶୋଧିତ ତୈଳ ଉପରେ ମଧ୍ୟ ଆମଦାନୀ ଶୁଳ୍କ ଲଗାଯାଇଥିଲା ଆମେରିକା । ଏଥିସହ ସେପ୍ଟେମ୍ବର ଆରମ୍ଭରେ ଚୀନର ଅନେକ ଉତ୍ପାଦ ଉପରେ 15 ପ୍ରତିଶତ ଅତିରକ୍ତ ଟିକସ କଷିଥିଲେ ଟ୍ରମ୍ପ ସରକାର ।

ଏଥିଯୋଗୁଁ ଆମେରିକାରେ ମଧ୍ୟ ବହୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯେପରି ପୋଷାକ, ଜୋତା, ଖେଳନା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ମହଙ୍ଗା ହୋଇଛି । ଏପଟେ ବାଣିଜ୍ୟିକ ଯୁଦ୍ଧ ପାଇଁ ଚୀନରେ ମୋଟ ଘରୋଇ ଉତ୍ପାଦନ କ୍ରମଶଃ ଖସିବାରେ ଲାଗିଥିଲା । ଏପରିକି ଚୀନର ଅଭିବୃଦ୍ଧି ହାର 27 ବର୍ଷର ସର୍ବନିମ୍ନରେ ପହଞ୍ଚିଥିଲା । ଏଥିସହ ବେକାରୀ ବୃଦ୍ଧି , ଯୋଗାଣ ହ୍ରାସ ଯୋଗୁଁ ଦର ଆକାଶ ଛୁଆଁ, ବିନିର୍ମାଣ କ୍ଷେତ୍ରରେ ବଡ ହ୍ରାସ ହୋଇଥିଲା ।

ଫଳରେ ଦେଶରେ ମୁଦ୍ରାସ୍ପୀତି ମଧ୍ୟ ବୃଦ୍ଧି ପାଇଥିଲା । ଚୀନର ଶହ ଶହ ବିଲିୟନ ଡଲାର ସାମଗ୍ରୀ ଉପରୁ ଆମେରିକା ଏପରି ମନଇଚ୍ଛା ଟାରିଫ ଆଦାୟ ପରେ ଚୀନ ମଧ୍ୟ ବିକଳ୍ପ ଖୋଜିଥିଲା । ଆଭାବ ମେଣ୍ଟାଇବାକୁ ବିଶ୍ବର ସର୍ବାଧିକ ସୋୟାବିନ ଉତ୍ପାଦନକାରୀ ରାଷ୍ଟ୍ର ଆର୍ଜେଣ୍ଟିନାରୁ ଆମଦାନୀ କରିବା ନେଇ ନିଷ୍ପତ୍ତି ନେଇଥିଲା ।

ଏହା ଦ୍ବାରା ଆମେରିକା ଚାଷୀଙ୍କୁ ଭାରୀ କ୍ଷତି ସହିବାକୁ ପଡିଥିଲା । ତେବେ ଏହାକୁ ଖାତିର ନ କରି ପୁଣି ଆମେରିକାର କଡା ଆଭିମୁଖ୍ୟ ସମଗ୍ର ବିଶ୍ବକୁ ଥରହର କରିଛି । ଏଥିଯୋଗୁଁ ଚୀନ ତାର ନିଷ୍ପତ୍ତିକୁ ପ୍ରତ୍ୟାହାର କରି 2 ଦେଶ ମଧ୍ୟରେ ବୁଝାମଣା ପାଇଁ ଘୋଷଣା କରିଛି ।

ABOUT THE AUTHOR

...view details