ନୂଆଦିଲ୍ଲୀ: ଦେଶରେ ବେକାରୀ ହାର ପ୍ରାକ ଲକଡାଉନ ସ୍ତରକୁ ଖସିଛି । ଜୁନ 21ରେ ସମାପ୍ତ ସପ୍ତାହରେ ଭାରତ ବେକାରୀ ହାର 8.5 ପ୍ରତିଶତ ରହିଛି । ଯେତେବେଳେ କି ଏପ୍ରିଲ 5 ରେ ଏହା 23.38 ଓ ମେ 11ରେ ସର୍ବାଧିକ 24 ପ୍ରତିଶତରେ ପହଞ୍ଚିଥିଲା ।
କୋରୋନା ସଂକ୍ରମଣ ରୋକିବାକୁ ଦେଶରେ ଜାରି ଲକଡାଉନ ପ୍ରଭାବରେ ଲକ୍ଷାଧିକ ଲୋକ ନିଯୁକ୍ତି ହରାଇଛନ୍ତି । ହେଲେ ଜୁନ ମାସରେ ଲକଡାଉନ ସାମାନ୍ୟ କୋହଳ ସହ ଆର୍ଥିକ ଗତିବିଧି ଆରମ୍ଭ ହୋଇଛି । ଯାହା ଫଳରେ ଜୁନ ତୃତୀୟ ସପ୍ତାହରେ ବେକାରୀ ହାରରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ ) ଏ ନେଇ ମଙ୍ଗଳବାର ନିଜ ସାପ୍ତାହିକ ରିପୋର୍ଟରେ ପ୍ରକାଶ କରିଛି ।
ଗ୍ରାମୀଣ ଲୋକଙ୍କୁ ମିଳିଛି ସହରଠୁ ଅଧିର ରୋଜଗାର
ସିଏମଆର ରିପୋର୍ଟ ମୁତାବକ, ସହରୀ ବେକାରୀ ହାର ଏବେ ବି ପ୍ରାକ କୋଭିଡ ହାର ଠାରୁ ଅଧିକ ଅଛି । ହେଲେ ଗ୍ରାମାଞ୍ଚଳରେ ବେକାରୀ ହାର ହ୍ରାସ ପାଇଛି । ଆଉ ଏହାର କାରଣ ହେଉଛି ମନରେଗା ଓ ସାରା ଦେଶରେ ଖରିଫ ଚାଷ ଆରମ୍ଭ । ଯେଉଁଥିପାଇଁ ଗ୍ରାମାଞ୍ଚଳରେ ଲୋକଙ୍କୁ ରୋଜଗାର ମିଳିରପାରିଛି ।
ଜୁନରେ ବେକାରୀ ଦର
- ପ୍ରଥମ ସପ୍ତାହ - 17.5 ପ୍ରତିଶତ
- ଦ୍ବିତୀୟ ସପ୍ତାହ- 11.6 ପ୍ରତିଶତ
- ତୃତୀୟ ସପ୍ତାହ - 8.5 ପ୍ରତିଶତ
ଭାରତରେ ବେକାରୀ ହାର
- 22 ମାର୍ଚ୍ଚ - 8.41 ପ୍ରତିଶତ
- 5 ଏପ୍ରିଲ - 23.38 ପ୍ରତିଶତ
- 17 ମେ - 24 ପ୍ରତିଶତ
- 21 ଜୁନ - 8.5 ପ୍ରତିଶତ
ସହରାଞ୍ଚଳରେ ବେକାରୀ ହାର
- 22 ମାର୍ଚ୍ଚ - 8.66 ପ୍ରତିଶତ
- 5 ଏପ୍ରିଲ - 30.93 ପ୍ରତିଶତ
- 17 ମେ - 26.95 ପ୍ରତିଶତ
- 21 ଜୁନ- 11.2 ପ୍ରତିଶତ