ନୂଆଦିଲ୍ଲୀ: ଭୂତାଣୁ ବିଭିଷୀକା ମଧ୍ୟରେ ଅର୍ଥନୀତି ସହିଲାଣି ପ୍ରବଳ କ୍ଷତି । ଆୟ ନଥିବା ବେଳେ ବିଭିନ୍ନ ରିଲିଫ ପଦକ୍ଷେପ ପାଇଁ ସରିଚାଲିଛି ସରକାରୀ ପାଣ୍ଠି । ଏଭଳି ସଙ୍କଟାପନ୍ନ ସ୍ଥିତିର ମୁକାବିଲା ପାଇଁ ସରକାରଙ୍କୁ 99,122 କୋଟି ଟଙ୍କା ଦେବାକୁ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ।
ଗତ ଆର୍ଥିକ ବର୍ଷର 9 ମାସ (2020ଜୁଲାଇରୁ 2021 ମାର୍ଚ୍ଚ) ର ଆକାଉଣ୍ଟିଂ ଅବଧି ପାଇଁ କେନ୍ଦ୍ର ସରକାରଙ୍କୁ 99,122 କୋଟି ଟଙ୍କା ଲାଭାଂଶ ଦେବାକୁ ମଞ୍ଜୁରୀ ଦେଇଛି ଆରବିଆଇ ବୋର୍ଡ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ରୀୟ ବୋର୍ଡର 589 ତମ ବୈଠକ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଅନୁଯାୟୀ ଆରବିଆଇର ବଳାକା ପାଣ୍ଠି (ସରପ୍ଲସ ଫଣ୍ଡ)ରୁ ସରକାରଙ୍କୁ ଟଙ୍କା ସ୍ଥାନାନ୍ତରଣ ନିର୍ଣ୍ଣୟ ନିଆଯାଇଛି । ଆରବିଆଇର ଏହି ଆର୍ଥିକ ଡୋଜ ସମ୍ପୁର୍ଣ୍ଣ ଖର୍ଚ୍ଚ ତୁଲାଇବାକୁ ଯଥେଷ୍ଟ ହୋଇନଥିଲେ ବି ଏହା କିଛିଟା ଉପଶମ ଦେବ ।
ଅର୍ଥବ୍ୟବସ୍ଥା ଉପରେ କୋଭିଡ19 ପ୍ରଭାବ ଓ ବର୍ତ୍ତମାନ ସ୍ଥିତି ଏବଂ ପୁଞ୍ଜି ବଜାରରେ ଦେଖାଦେଇଥିବା ଚ୍ୟାଲେଞ୍ଜ ଉପରେ ଚର୍ଚ୍ଚା ବିମର୍ଷ ହୋଇଛି । ଏଥିସହ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ନୀତିଗତ ଉପାୟର ସମୀକ୍ଷା ହୋଇଛି । ଏହା ବ୍ୟତିତ ଆରବିଆଇ ବୋର୍ଡ ଜରୁରୀକାଳୀନ ରିସ୍କ ବଫର(Contingency Risk Buffer )କୁ 5.5 ପ୍ରତିଶତରେ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶ ଯେ, 2001-02 ରେ 10,320 କୋଟି ଟଙ୍କା ସରପ୍ଲସ ଦିଆଯାଇଥିବା ବେଳେ 20 ବର୍ଷରେ ଏହା ବୃଦ୍ଧି ହୋଇ ପ୍ରାୟ 1 ଲକ୍ଷ କୋଟି ଟଙ୍କାରେ ପହଞ୍ଚିସାରିଛି ।
କେନ୍ଦ୍ରକୁ ମିଳିଥିବା ସରପ୍ଲସ ବଢିଛି
ଆରବିଆଇ ସମ୍ପୁର୍ଣ୍ଣ ରୂପେ କେନ୍ଦ୍ର ମାଲିକାନାରେ ରହିଛି । ଯେଉଁଥିପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ, 1934 କେନ୍ଦ୍ରୀୟ ବ୍ୟାଙ୍କକୁ ବଳକା ଲାଭ ବା ଲାଭାଂଶ କେନ୍ଦ୍ର ସରକାରଙ୍କୁ ସ୍ଥାନାନ୍ତରଣ କରିବା ବାଧ୍ୟତାମୂଳକ ରହିଛି ।
ପ୍ରତ୍ୟେକ ଆର୍ଥିକ ବର୍ଷର ଖାତାର ସମୀକ୍ଷା କରିବା ପରେ ଆରବିଆଇ ଲାଭାଂଶର ଘୋଷଣା କରିଥାଏ । କୌଣସି ନିର୍ଦ୍ଧାରିତ ବର୍ଷରେ ବ୍ୟାଙ୍କ କେତେ ଟଙ୍କା କମେଇଲା ଓ ବ୍ୟାଙ୍କ କେତେ ଆକସ୍ମିକ ବା ଜୁରୀକାଳୀନ ରିଜର୍ଭ ରଖିବା ଦରକାର । ଲାଭାଂଶ ରାଶି ବାଧ୍ୟତାମୂଳକ ଭାବେ ଏହି 2 ଟି ତତ୍ବ ଉପରେ ନିର୍ଭରଶୀଳ ।
କେନ୍ଦ୍ରକୁ ଅଧିକ ଲାଭାଂଶ ପାଇଁ ଆରବିଆଇର ଦାବି ବଢିବା ସହିତ ବ୍ୟାଙ୍କ ଜରୁରୀକାଳୀନ ଭଣ୍ଡାର(emergency reserves)ର ଆଦର୍ଶ ଆକାର ସ୍ଥିର କରିବାକୁ ପର୍ଯ୍ୟାୟକ୍ରମେ ବିଶେଷଜ୍ଞ କମିଟି ଗଠନ କରିଥିଲା । ଦୁଇ ଦଶନ୍ଧି ମଧ୍ୟରେ ଭି ସୁବ୍ରମଣ୍ୟମ (1997), ଉଷା ଥୋରାଟ (2004), YH ମାଲେଗାମ (2014), ଏବଂ ବିମଲ ଜାଲାନ (2018) ଭଳି ବିଶେଷଜ୍ଞଙ୍କ ଅଧ୍ୟକ୍ଷତାରେ ଏହିପରି ଚାରୋଟି କମିଟି ଗଠନ କରାଯାଇଥିଲା ।
ସୁବ୍ରମଣ୍ୟମ କମିଟି ଏହାର ପରାମର୍ଶରେ 12 ପ୍ରତିଶତ ଆକସ୍ମିକ ରିଜର୍ଭ ସୃଷ୍ଟି କରିବାକୁ ଆରବିଆଇକୁ ସୁପାରିଶ କରିଥିବାବେଳେ ଥୋରାଟ ପ୍ୟାନେଲ ପରାମର୍ଶ ଦେଇଛି ଯେ ଏହାକୁ କେନ୍ଦ୍ରୀୟ ବ୍ୟାଙ୍କର ମୋଟ ସମ୍ପତ୍ତିର 18 ପ୍ରତିଶତରୁ ଅଧିକ ରହିବା ଜରୁରୀ । ତେବେ ଆରବିଆଇ ବୋର୍ଡ ଥୋରାଟ କମିଟିର ସୁପାରିଶକୁ ଗ୍ରହଣ କରିନଥିଲା ଏବଂ ସୁବ୍ରମଣ୍ୟମ କମିଟିର ସୁପାରିଶ ଅନୁଯାୟୀ 12 ପ୍ରତିଶତ ରିଜର୍ଭ ଜାରି କରିବାକୁ ନିଷ୍ପତ୍ତି ନେଇଥିଲା ।
ପରେ, 2014 ମସିହାରେ, ମାଲେଗାମ କମିଟି କହିଛି ଯେ, ଆରବିଆଇ ଏହାର ଲାଭର ବହୁ ପରିମାଣର ରାଶି ବାର୍ଷିକ ଜରୁରୀକାଳୀନ ରିଜର୍ଭକୁ ସ୍ଥାନାନ୍ତର କରିବା ଉଚିତ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ଉଲ୍ଲେଖ କରିନାହିଁ ।
ଶେଷରେ ସବୁଠୁ ସର୍ବଶେଷ ସଦ୍ୟ କମିଟି, ବିମଲ ଜଲାନ କମିଟି ଆରବିଆଇର ବାଲାନ୍ସ ସିଟର 6.5 ପ୍ରତିଶତର 5.5 ପ୍ରତିଶତ ପର୍ଯ୍ୟନ୍ତ ଏମର୍ଜନ୍ସି ରିଜର୍ଭ ବଜାୟ ରଖିବାକୁ ସମର୍ଥନ କରିଥିଲା । ଯାହା ଫଳରେ କେନ୍ଦ୍ରକୁ ଏକ ପ୍ରମୁଖ ସ୍ଥାନାନ୍ତର କରାଯାଇଥିଲା ।