ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବା ପାଇଁ ଦେଶକୁ 21 ଦିନ ବନ୍ଦ ରଖାଯାଇଛି । ଯାନବାହାନ, ଟ୍ରେନ ସବୁ ଠପ । ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ସମସ୍ତେ ଘରେ । ଏପରିକି ବ୍ୟାଙ୍କ ମଧ୍ୟ ଦିନେ ଛଡା ଦିନେ ଖୋଲୁଛି ତ ପୁଣି କେତେ ସ୍ଥାନରେ ଆଦୌ ସେବା ପ୍ରଦାନ କରୁନି । ଏପରି ଘଡିସନ୍ଧି ସମୟରେ ଆୟ ବି ଶୂନ୍ୟ । ଆଉ ଯାହା ଅଛି ସେଥିରୁ 30 ପ୍ରତିଶତ ଘର, କାର, ବ୍ୟକ୍ତିଗତ ଆଦି ଋଣର ଇଏମଆଇ ପରିଶୋଧରେ ଯିବ । ତାହା ବି କିପରି ଭରାଯିବ ତେବେ ଏ ନେଇ ଆଉ ଚିନ୍ତା କରନ୍ତୁ ନାହିଁ ।
ଶୁକ୍ରବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ପ୍ରେସ ମିଟ ଜରିଆରେ ଅର୍ଥନୀତିକୁ ଉପଶମ ଦେବା ପାଇଁ ବଡ ଘୋଷଣା କରିଛନ୍ତି । ରେପୋରେଟ ଦର ହ୍ରାସ କରି ସୁଧ ଦର ଶସ୍ତା କରିବା ସହ ବ୍ୟାଙ୍କ ପାଖରେ ଅଧିକ ଟଙ୍କା ଉପଲବ୍ଧ ପାଇଁ ସବୁ ବାଟ ଖୋଲିଦେଇଛନ୍ତି । ଏଥିସହ ଇଏମଆଇ ଉପରେ 3 ମାସ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି । ଅର୍ଥାତ ଲୋନ ନେଇଥିବା ଋଣଦାତା ଚାହିଁଲେ 3 ମାସ ପର୍ଯ୍ୟନ୍ତ ଇଏମଆଇ ଭରିବେ ନାହିଁ ।