ନୂଆଦିଲ୍ଲୀ: ଶନିବାର ବ୍ୟାଙ୍କ ପ୍ରମୁଖଙ୍କୁ ଭେଟି ଆଲୋଚନା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ବୈଠକରେ କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ ସ୍ଥିତି ଓ ଆରବିଆଇ ଦ୍ବାରା ଘୋଷଣା ହୋଇଥିବା ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଛି । ଦୁଇଟି ଅଧିବେଶନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହୋଇଛି ।
ବୈଠକ ପରେ ଆରବିଆଇ ନିଜ ବିବୃତ୍ତିରେ କହିଛି ଯେ, ଏହି ବୈଠକରେ ସାର୍ବଜନୀକ ଓ ଘରୋଇ କ୍ଷେତ୍ର ବ୍ୟାଙ୍କ ପ୍ରବନ୍ଧ ନିର୍ଦ୍ଦେଶକ ଓ ସିଇଓ ସାମିଲ ହୋଇଥିଲେ । ବୈଠକ ଆରମ୍ଭରେ ଶକ୍ତିକାନ୍ତ ଲକଡାଉନ ସମୟରେ ବ୍ୟାଙ୍କ କାର୍ଯ୍ୟ ଜାରି ରଖିବା ପ୍ରୟାସକୁ ପ୍ରୋତ୍ସାହିତ କରିଥିଲେ ।
ତେବେ ଏହି ବୈଠକରେ ଅନ୍ୟ ସବୁ ଆଲୋଚନା ବ୍ୟତିତ ଆର୍ଥିକ ସ୍ଥିତି ଓ ସ୍ଥିରତା ନେଇ ଚର୍ଚ୍ଚା କରାଯାଇଛି । ଏଥିସହ ବୈଠକରେ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ଋଣ ପ୍ରବାହ, ଏନବିଏଫସି, କ୍ଷୁଦ୍ର ଆର୍ଥିକ ସଂସ୍ଥାନ, ହାଉସିଙ୍ଗ କମ୍ପାନୀ, ମ୍ୟୁଚୁଆଲ ଫଣ୍ଡ ଆଦି ନଗଦ ସ୍ଥିତି ନେଇ ଆଲୋଚନା ହୋଇଥିଲା । ବୈଠକରେ ଲକଡାଉନ ପରେ ଋଣ ପ୍ରବାହ, ପୁଞ୍ଜି ବ୍ୟବସ୍ଥା ଓ ଏମଏସଏମଇକୁ ଋଣ ପ୍ରଦାନ ନେଇ ମଧ୍ୟ ବିଚାର ବିମର୍ଷ କରାଯାଇଛି ।