ନୂଆଦିଲ୍ଲୀ: ସାଉଦି ଆରବର ପ୍ଲବିକ ଇନଭେଷ୍ଟମେଣ୍ଟ ଫଣ୍ଡ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହାୟକ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (RRVL)ରେ ବିନିଯୋଗ କରିବ 9,555 କୋଟି ଟଙ୍କା । ରିଲାଏନ୍ସ ରିଟେଲର 2.04 ପ୍ରତିଶତ ଅଂଶଧନ ପାଇଁ ସାଉଦି କମ୍ପାନୀ ଏହି ନିବେଶ କରିବ ।
ଏହି ଚୁକ୍ତି ନେଇ ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରି ସୂଚନା ଦେଇଛି । ଏହି ଚୁକ୍ତିରେ ରିଲାଏନ୍ସ ରିଟେଲର ପ୍ରି-ମନି ଇକ୍ବିଟି ଭେଲ୍ୟୁ 4.587 ଲକ୍ଷ କୋଟି ଟଙ୍କା ରହିଛି । ଏହି ନିବେଶ ସହ କମ୍ପାନୀ ଗତ 2 ମାସରେ 47,265 କୋଟି ଟଙ୍କାର ନିବେଶ ହାସଲ କରିଛି ।
ପୂର୍ବରୁ ରିଲାଏନ୍ସ ଜିଓରେ ସାଉଦି ଆରବରେ ୱେଲଥ୍ ଫଣ୍ଡ ପବ୍ଲିକ ଇନଭେଷ୍ଟ ଫଣ୍ଡ 2.32 ପ୍ରତିଶତ ଅଂଶଧନ ପାଇଁ 11 ହଜାର 367 କୋଟି ଟଙ୍କା ନିବେଶ ନେଇ ଘୋଷଣା କରିଥିଲା ।
ରିଲାଏନ୍ସ ରିଟେଲ ଲିମିଟେଡର ବାର୍ଷିକ 64 କୋଟିରୁ ଅଧିକ ଗ୍ରାହକ ଅଛନ୍ତି । ଦେଶରେ ବ୍ୟାପି ଏହାର 12 ହଜାରରୁ ଅଧିକ ଷ୍ଟୋର ରହିଛି । ଏହା ହେଉଛି ଭାରତର ବୃହତ୍ତମ ଏବଂ ଦ୍ରୁତ ଗତିରେ ବଢୁଥିବା ଖୁଚୁରା ବ୍ୟବସାୟ | ରିଲାଏନ୍ସ ରିଟେଲର ଦେଶର ସବୁଠାରୁ ଲାଭଜନକ ଖୁଚୁରା ବ୍ୟବସାୟ ତାଲିକାରେ ରହିଛି । ବିଶ୍ବ ତଥା ଘରୋଇ କମ୍ପାନୀ, କ୍ଷୁଦ୍ର ଶିଳ୍ପ, ଖୁଚୁରା ବ୍ୟବସାୟୀ ଏବଂ କୃଷକମାନଙ୍କୁ ସୁଲଭ ମୂଲ୍ୟରେ ସେବା ଯୋଗାଇଦେବା ଏବଂ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ କମ୍ପାନୀ ଏକ ଯୋଜନା ବିକାଶ କରିବାକୁ ଚାହୁଁଛି । ଏହା ପୂର୍ବରୁ ରିଲାଏନ୍ସ ରିଟେଲରେ 4 ଟି ପ୍ରମୁଖ କମ୍ପାନୀ ପୁଞ୍ଜି ନିବେଶ କରିଛନ୍ତି । ନିକଟରେ ଆବୁଧାବିର ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ଏଥିରେ 6247.5 କୋଟି ଟଙ୍କା ନିବେଶ ଘୋଷଣା କରିଥିଲା ।