ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା- ଭାରତ ବ୍ୟାପର ପରିଷଦ ( USIBC)ର ଇଣ୍ଡିଆ ଆଇଡିଆ ସମିଟକୁ ସମ୍ବୋଧନ କରିବେ । ୟୁଏସଆଇବିସିର 45 ତମ ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ଏହି ଭର୍ଚ୍ୟୁଆଲ ଶିଖର ସମ୍ମିଳନୀ ଉପରେ ସମଗ୍ର ବିଶ୍ବର ନଜର ଅଟକିଛି ।
କୋରୋନା ମହାମାରୀ ପରେ ଦୁନିଆରେ ଭାରତ- ଆମେରିକା ସହଯୋଗ ଓ ସେମାନଙ୍କ ସମ୍ପର୍କ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯିବ । ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିବୃତ୍ତି ଜାରି କରାଯାଇଛି । ଏହି ବିବୃତ୍ତି ମୁତାବକ, ଏ ବର୍ଷ ଇଣ୍ଡିଆ ଆଇଡିଆଜ ସମିଟର ବିଷୟବସ୍ତୁ ହେଉଛି ‘ ଉତ୍ତମ ଭବିଷ୍ୟତର ନିର୍ମାଣ’('Building a Better Future') ରହିଛି ।
ଏହି ସମ୍ମିଳନୀରେ ଭାରତ ଏବଂ ଆମେରିକା ସରକାରଙ୍କ ବରିଷ୍ଠ ନୀତି ନିର୍ମାତା, ରାଜ୍ୟ ସ୍ତରୀୟ ଅଧିକାରୀ ଏବଂ ବ୍ୟବସାୟ ତଥା ସମାଜ ଚିନ୍ତକମାନେ ଯୋଗଦେବେ ବୋଲି ବିବୃତ୍ତିରେ କୁହାଯାଇଛି। ଏହି ଶିଖର ସମ୍ମିଳନୀ ଜୁଲାଇ 21-22 (2 ଦିନ) ରେ ଅନୁଷ୍ଠିତ ହେବ ।
ଏହି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର, ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ, Virginiaର ସିନେଟର ମାର୍କ ୱାର୍ଣ୍ଣର ଏବଂ ମିଳିତ ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ନିକ୍କି ହାଲି ସାମିଲ ହେବେ ।
ବିବୃତ୍ତିରେ କୁହାଯାଇଛି ଯେ ‘‘ ଏହି ଶିଖର ସମ୍ମିଳନୀରେ ମହାମାରୀ ପରବର୍ତ୍ତୀ ବିଶ୍ୱରେ ଭାରତ-ଆମେରିକୀୟ ସହଯୋଗ ଏବଂ ଦୁଇ ଦେଶ ମଧ୍ୟରେ ଭବିଷ୍ୟତ ସମ୍ପର୍କ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ । ’’