ନୂଆଦିଲ୍ଲୀ: ତେଲ ବଜାରରେ ନିଆଁ । ହୁ ହୁ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦାମ ଲଗାତାର 9 ଦିନ ଧରି ଜାରି ରହିଛି । ବୁଧବାର ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମ ବଢିବା ସହ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ।
ଭାରତ ଓ ଚୀନ ସହ ଏସୀୟ ରାଷ୍ଟ୍ର ଗୁଡିକରେ ଅଶୋଧିତ ତେଲ ଚାହିଦା ବଢୁଥିବାରୁ ଏହାର ପ୍ରଭାବ ବିଶୋଧିତ ତୈଳ ଉପରେ ପଡିଛି । ଏହାର ପ୍ରଭାବରେ ଭାରତର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ବଢିଛି । ତେଲ ବିପଣନ କମ୍ପାନୀ ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 25 ପଇସା ଲେଖାଏଁ ବଢିଛି । ଏହି ବୃଦ୍ଧି ସହ ପେଟ୍ରୋଲର ଦାମ ଲିଟର ପିଛା 89.54 ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦାମ ଲିଟର ପ୍ରତି ଦିଲ୍ଲୀରେ 79.95 ଟଙ୍କା ଅଛି ।
ଗତ 9 ଦିନରେ ( ଫେବୃଆରୀ 9 ରୁ) ପେଟ୍ରୋଲ ଦାମ ଲିଟର ପ୍ରତି 2.59 ଟଙ୍କା ବଢିଛି । ଯେତେବେଳେ କି ଡିଜେଲ ଦାମ 9 ଦିନରେ ଲିଟର ପିଛା 2.82 ଟଙ୍କା ଉଛୁଳିଛି । ସେହିଭଳି ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥାନୀୟ ଟିକସ ଓ ଭାଟ ପରେ ଲିଟର ପ୍ରତି 24 ରୁ 24 ରୁ 27 ପଇସା ବୁଧବାର ବଢିଛି ।