ଭୁବନେଶ୍ବର: ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା କ୍ରୟ ଉପରେ ଜିଏସଟି ଛାଡ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହାସହ ଭାରତ ସରକାରଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀରୁ ସଂଗୃହିତ ସେସ୍ ଏବଂ ସରଚାର୍ଜରୁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଦେବା ଲାଗି ନବୀନ ଦାବି କରିଛନ୍ତି ।
ଭାରତ କୋଭିଡ-19 ମହାମାରୀର ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଏଭଳି ଯୁଦ୍ଧକାଳୀନ ସ୍ଥିତିରେ ଆମର ସମସ୍ତ ଉତ୍ସ ଓ ରିସୋର୍ସକୁ ବ୍ୟବହାର କରି ଏହି ଯୁଦ୍ଧରେ ଜିତିବା ହେଉଛି ବଡ ଲକ୍ଷ୍ୟ । ଏହା କୌଣସି ଏକକାଳୀନ ଯୁଦ୍ଧ ନୁହେଁ, ଏଣୁ ଆମକୁ ସୁଦୃଢ ଚିକିତ୍ସା ଓ ଭ୍ୟାକ୍ସିନେସନ ମାଧ୍ୟମରେ ଏହାର ମୁକାବିଲା କରିବାକୁ ହେବ । ଏଥିପାଇଁ ରାଜ୍ୟ ପକ୍ଷରୁ 2ଟି ପ୍ରସ୍ତାବ ଅର୍ଥମନ୍ତ୍ରୀଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
1- 18 ରୁ 45 ବର୍ଷ ବର୍ଗର ଲୋକଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ନିଜ ପକେଟରୁ ଟଙ୍କା ଦେଉଛନ୍ତି । ଟିକା କ୍ରୟ ଉପରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଲାଗୁ ହୋଇଛି । ଫଳରେ ଟିକାଗୁଡ଼ିକୁ ରାଜ୍ୟ ପାଇଁ ମହଙ୍ଗା ହୋଇଛି । ତେଣୁ ଟିକା କ୍ରୟ ଉପରୁ ଜିଏସଟିକୁ ସମ୍ପୂର୍ଣ୍ଣ ଛାଡ କରିବା ଲାଗି ନବୀନ ପ୍ରସ୍ତାବ ରଖିଛନ୍ତି । ଫଳରେ ରାଜ୍ୟଗୁଡିକ ପାଇଁ ଟିକା କ୍ରୟ ଖର୍ଚ୍ଚ ହ୍ରାସ ହୋଇପାରିବ । ଏହାଦ୍ବାରା ରାଜ୍ୟର ଖର୍ଚ୍ଚ କମିବା ସହ ଟିକାକରଣ ଅଭିଯାନ ଜୋରଦାର ହେବ ।