ଭୁବନେଶ୍ବର: ଆସନ୍ତାକାଲି ବିଧାନସଭାରେ ରାଜ୍ୟ ବଜେଟ ଆଗତ କରାଯିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବଜେଟ ଆଗତ କରିବେ । ଏହି ବଜେଟକୁ ନେଇ ଲୋକଙ୍କ ଭିତରେ ବେଶ ଉତ୍ସୁକତା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଓଡିଶାର ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ପାଇଁ କଣ ଚ୍ୟାଲେଞ୍ଜ ରହିଛି ଓ ଲୋକଙ୍କ କଣ ଆଶା ରହିଛି ।
ବିଭିନ୍ନ କ୍ଷେତ୍ରରେ ଚ୍ୟାଲେଞ୍ଜ ଓ ଆଶା
କୃଷି
ରାଜ୍ୟର ଆୟକୁ କୃଷିକ୍ଷେତ୍ରର ବିଶେଷ ଅବଦାନ ରହିଛି । ରାଜ୍ୟର ମୋଟ ଘରୋଇ ଉତ୍ପାଦର ପ୍ରାୟ 18 ପ୍ରତିଶତ କୃଷିରୁ ହିଁ ମିଳିଥାଏ । ଏଥିରେ ରାଜ୍ୟ ଜନସଂଖ୍ୟାର ପ୍ରାୟ 60 ପ୍ରତିଶତରୁ ଅଧିକ ନିଯୁକ୍ତି ମିଳିଥାଏ । କୃଷି କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଗତ 8 ବର୍ଷ ମଧ୍ୟରେ ଓଡିଶା 6ଥର କୃଷି କର୍ମଣ ପୁରସ୍କାର ହାସଲ କରିଛି । ତେଣୁ ସରକାରଙ୍କ ପକ୍ଷରୁ କୃଷିକୁ ବିଶେଷ ଦୃଷ୍ଟିରେ ରଖାଯାଇଛି ।
କୃଷିକୁ ବିଶେଷ ଧ୍ୟାନ ଦିଆଯାଇ 2014 ମସିହାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରାଯାଉଛି । ଗତ ବଜେଟରେ କୃଷି ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ 20 ହଜାର 7ଶହ 14 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ସରକାର ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଥିଲେ । ଏଥିପାଇଁ 2019-20 ବଜେଟରେ 5ହଜାର 6ଶହ 11କୋଟି ଟଙ୍କା ଘୋଷଣା କରାଯାଇଥିଲା । ହେଲେ ତାହା ସମସ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିନାହିଁ । ଏବେ ସରକାର ଏହି କାଳିଆ ସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାକୁ ରାଜ୍ୟରେ ମିଳିତ ଭାବରେ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ସଫଳ ପ୍ରୟୋଗ ନେଇ ଚାଷୀ ଶଙ୍କାରେ ରହିଛନ୍ତି । ଏଥିପ୍ରତି ସରକାରଙ୍କୁ ଧ୍ୟାନ ଦେବାକୁ ହେବ । ସେହିପରି କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ଉପଯୋଗକୁ ସରକାର ଗୁରୁତ୍ବ ଦେବା ଆବଶ୍ୟକ । ଗତ ବଜେଟରେ ଏହାପାଇଁ ସରକାର ମାତ୍ର 182 କୋଟି ମଞ୍ଜୁର କରିଥିଲେ । ଓଡିଶାର କୃଷି ପ୍ରଦର୍ଶନ ବୃଦ୍ଧି କରାଇବା ପାଇଁ କୃଷିକୁ ଅଧିକ ଅର୍ଥ ପ୍ରଦାନ କରିବାର ଆବଶ୍ୟକତା ରହିଛି । ସେହିପରି କୃଷିଭିତ୍ତିକ ଶିକ୍ଷା ଓ ଗବେଷଣା ପାଇଁ ମଧ୍ୟ ଯଥେଷ୍ଟ ଅର୍ଥ ମଞ୍ଜୁର ହେବା ଜରୁରୀ ।
ଶିକ୍ଷା ଓ ଦକ୍ଷତା ବିକାଶ
ରାଜ୍ୟର ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ଗୁରୁତ୍ବ ଦେଇଛନ୍ତି । ଗତ ଆର୍ଥିକ ବର୍ଷରେ ଶିକ୍ଷା ଓ ଦକ୍ଷତା ବିକାଶ ବାବଦରେ ସରକାର 19 ହଜାର 9ଶହ11 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଯୋଜନାରେ 2ହଜାର 5ଶହ 50 କୋଟି ଟଙ୍କା ବ୍ୟବସ୍ଥା ହୋଇଥିଲା । ସେହିପରି 300 କୋଟି ଟଙ୍କା ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ବ୍ୟୟ ବ୍ୟବସ୍ଥା କରାଯାଇଥିଲା । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ 239 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା । ଅନ୍ୟ ପକ୍ଷରେ ଦକ୍ଷତା ବିକାଶ ପାଇଁ ଓଡିଶା ସରକାର 100 କୋଟି ଟଙ୍କା ଅନୁଦାନ ଦେଇଥିଲେ ।
ସରକାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଉଚ୍ଚଶିକ୍ଷା କ୍ଷେତ୍ରରେ ତଦାନୁସାରେ ଗୁରୁତ୍ବ ଦେଇ ନଥିଲେ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ବାଦ ଦେଲେ ସରକାରଙ୍କୁ ଧନ୍ଦାମୂଳକ ଶିକ୍ଷାକୁ ଏବେ ଗୁରୁତ୍ବ ଦେବାର ସମୟ ଆସିଛି । ଗତ ଯାହା ଦ୍ବାରା ରାଜ୍ୟର ବେକାରୀ ସମସ୍ୟାକୁ ମଧ୍ୟ ଦୂର କରାଯାଇପାରିବ । ସେହିଭଳି ଶୈକ୍ଷିକ ଗବେଷଣା ପ୍ରତି ସରକାରଙ୍କୁ ଧ୍ୟାନ ଦେବାର ଆବଶ୍ୟତା ରହିଛି ।