ଓଡିଶା

odisha

By

Published : Dec 25, 2020, 9:31 PM IST

ETV Bharat / business

ନିବେଶକଙ୍କୁ ଟାଣୁଛି ଓଡିଶା, ମହାମାରୀ ବର୍ଷରେ 1 ଲକ୍ଷ କୋଟିର ନିବେଶ

ଓଡିଶାରେ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି । ଆଉ କୋରୋନା କାଳରେ ଅନିଶ୍ଚିତତା ମଧ୍ୟରେ ନିବେଶ ହୋଇଛି । ରାଜ୍ୟର ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ହୋଇଛି ପୁଞ୍ଜି ବର୍ଷା । ଯାହା ଆଗାମୀ ଦିନରେ ରାଜ୍ୟର ଆର୍ଥିକ ଗାଡିକୁ ଗତି ଦେବ ।

ନିବେଶକଙ୍କୁ ଆକୃଷ୍ଟ କରୁଛି ଓଡିଶା , ଏ ବର୍ଷ ହୋଇଛି 1 ଲକ୍ଷ କୋଟିର ନିବେଶ
ନିବେଶକଙ୍କୁ ଆକୃଷ୍ଟ କରୁଛି ଓଡିଶା , ଏ ବର୍ଷ ହୋଇଛି 1 ଲକ୍ଷ କୋଟିର ନିବେଶ

ଭୁବନେଶ୍ବର:କୋରୋନା ସଙ୍କଟ କାଳରେ ମଧ୍ୟ ନିବେଶକଙ୍କୁ ଆକୃଷ୍ଟ କରିପାରିଛି ଓଡିଶା । ଏହି ଅବଧିରେ ସର୍ବାଧିକ ନିବେଶ ସାଉଁଟିଛି ରାଜ୍ୟ । ସଫଳତାର ସହ ରାଜ୍ୟରେ ଲୁହାପଥର, ମାଙ୍ଗାନିଜ ଏବଂ ଗ୍ରାଫାଇଟ ସମେତ 31ଟି ଖଣିଜ ବ୍ଲକର ନିଲାମ ହୋଇଛି । ବିଭିନ୍ନ ସେକ୍ଟରରେ ରାଜ୍ୟ ଫେବୃଆରୀରୁ ବର୍ଷ ଶେଷ ସୁଦ୍ଧା 1 ଲକ୍ଷ କୋଟି ଟଙ୍କାର ନିବେଶ ସୃଷ୍ଟି କରିଛି ।

ପ୍ରାକୃତିକ ସମ୍ଭଳରେ ପରିପୂର୍ଣ୍ଣ ଓଡିଶା । ରାଜ୍ୟରେ ଦକ୍ଷ ମାନବ ସମ୍ବଳ ରହିଛି । ଓଡିଶା ବିନିର୍ମାଣର ହବ ଦିଗରେ ଉଦ୍ଭା ହୋଇଛି । ରାଜ୍ୟର ନିବେଶକୁ ପ୍ରୋତ୍ସାହିତ କରିବାକୁ ପରିବହନ ଓ ଯୋଗାଯୋଗ ନେଟୱର୍କକୁ ମଜବୁତ ପାଇଁ ପ୍ରଚେଷ୍ଟା ହେଉଛି । ଏଠାରେ ପ୍ରଚୁର ପରିମାଣରେ ସମ୍ଭଳ ଓ ସାମର୍ଥ୍ୟ ରହିଛି । ଏଭଳି ସ୍ଥିତିରେ ନିବେଶ ପାଇଁ ଶିଳ୍ପ ଜଗତକୁ ଆମନ୍ତ୍ରଣ କରିଛନ୍ତି ସରକାର ।

ଆଗାମୀ ଦିନରେ ରାଜ୍ୟ ଅଭିବୃଦ୍ଧିର ବାହକ ସାଜିବ ଖଣି ଏବଂ ଧାତବ ଶିଳ୍ପ । ଆଉ ଏହି ସବୁ ଶିଳ୍ପକୁ ସହଯୋଗ ଦେବେ ସରକାର । ରାଜ୍ୟର ଅର୍ଥ ବିଭାଗ ଯୁଗ୍ମ ସଚିବ ସତ୍ୟ ପ୍ରିୟ ରଥ କହିଛନ୍ତି କି, ରାଜ୍ୟର ନିରନ୍ତର ଅଭିବୃଦ୍ଧି ପାଇଁ ବୃହତ୍ତ ମାତ୍ରାରେ ବଡ ବଡ ଶିଳ୍ପ ଏବଂ ଡାଉନଷ୍ଟ୍ରିମ ଉଦ୍ୟୋଗ ପ୍ରତିଷ୍ଠା ଆବଶ୍ୟକ ରହିଛି । ଅନୁକୂଳ ଏମଏସଏମଇ ନୀତି ଅଣାଯାଇଛି । ଖଣିଜ ଶିଳ୍ପରେ ସୁଯୋଗ ଅଛି । ଏକ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ଅଛି । ଏଣୁ ଏହି କ୍ଷେତ୍ରରେ ନିବେଶ କରି ସୁଯୋଗ ସାଉଁଟିବାକୁ ଖଣି ଏବଂ ଧାତବ ଶିଳ୍ପକୁ ଆହ୍ବାନ ଦେଇଛନ୍ତି ସରକାର ।

କୋରୋନା କଟକଣା ଯୋଗୁଁ ରାଜ୍ୟରେ ଆର୍ଥିକ ସ୍ଥିତି ମାନ୍ଦା ରହିଛି । ଖଣି, ଶିଳ୍ପଠୁ ଆରମ୍ଭ କରି ପର୍ଯ୍ୟଟନ ଓ ପରିବହନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଛି । ଫଳରେ ଲୋକଙ୍କ ଆୟ କମିଛି। ଯାହାର ପ୍ରଭାବ ସିଧାସଳଖ ରାଜ୍ୟରେ ଅର୍ଥନୀତି ଉପରେ ଦେଖିବାକୁ ମିଲିଛି। ଏପ୍ରିଲ୍, ମେ ଓ ଜୁନ୍ ଅର୍ଥାତ ପ୍ରଥମ ତ୍ରୟମାସରେ ରାଜସ୍ବ ଆଦାୟ ଗତବର୍ଷ ତୁଳନାରେ ୨୩ ପ୍ରତିଶତ ହ୍ରାସ ପାଇଛି । ହେଲେ ଏହି ସଙ୍କଟ ମଧ୍ୟରେ ସରକାରଙ୍କ ଦକ୍ଷ ରଣନୀତି ବଳରେ ଓଡିଶା ଶିଳ୍ପ ଅର୍ଥନୀତି ଜାତୀୟ ଚିତ୍ର ଠାରୁ ଭଲ ରହିଛି ।

2019 ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ପୁଞ୍ଜି ନିବେଶକୁ ଦୃଷ୍ଟିରେ ରଖି ଓଡିଶା ଏକ ନମ୍ବର ସ୍ଥାନରେ ରହିଛି ଏବଂ ଏହି ସ୍ଥିତିକୁ ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନଜର ପକାନ୍ତୁ ଏବର୍ଷ ବଡ ନିବେଶ ଚୁକ୍ତି ଉପରେ ..

  • 2020 ନଭେମ୍ବର 17 ରେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ 4 ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। 464.72 କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ 873 ଜଣଙ୍କୁ ନିଯୁକ୍ତି ମିଳିବ ।
  • ଏହା ପୂର୍ବରୁ 5ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଥିଲେ ସରକାର । ଏହାର ବ୍ୟୟ ଅଟକଳ 92 ହଜାର କୋଟିରୁ ଅଧିକ ରହିଛି ।
  • ସେହିଭଳି ସେପ୍ଟେମ୍ବର 26 ରେ ରାଜ୍ୟ ସ୍ତରୀୟ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ବୈଠକରେ 2435 କୋଟି ନିବେଶରେ 10 ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା । ଏହି ପ୍ରକଳ୍ପ ଦ୍ବାରା ପ୍ରାୟ 5432 ଜଣ ନିଯୁକ୍ତି ପାଇବେ । ଏହି ପ୍ରକଳ୍ପରେ ଜଗତସିଂହପୁରର ପାରାଦ୍ବୀପରେ ଆଇରନ କେମିକାଲ 166 କୋଟି ଟଙ୍କା ନିବେଶ ହେବ । କଳିଙ୍ଗ ନଗରରେ ରତ୍ନମଣି ମେଟାଲସ ଧାତବ ପ୍ରକ୍ରିୟାକରଣ ଶିଳ୍ପ କରିବ । ଏଥିରେ ମୋଟ 183 ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
  • କୋଭିଡ ମୁକାବିଲା ନେଇ ଓଡିଶା ସରକାରଙ୍କ ପ୍ରଂଶସା କରିବା ସହ ଆସେଲର ମିତଲ ରାଜ୍ୟରେ 2 ହଜାର କୋଟି ଟଙ୍କା ନିବେଶ ପାଇଁ ଆଗେଇ ଆସିଛନ୍ତି ।
  • କୋରୋନା ଭାଇରସ ଲଢେଇ ମଧ୍ୟରେ ଏପ୍ରିଲ ମାସରେ ଇସ୍ପାତ, ରାସାୟନିକ, ଧାତୁ, ଭିତ୍ତିଭୂମି, ଫୁଟ ୱେର , ଡାଉନଷ୍ଟ୍ରିମ ସେକ୍ଟର ଇତ୍ୟାଦିରେ 9000 କୋଟିରୁ ଅଧିକ ମୂଲ୍ୟର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ସରକାର । ଏହା ଦ୍ବାରା 6525 ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।
  • ଜର୍ମାନୀ ଶିଳ୍ପ ଓ ବ୍ୟବସାୟ ମଧ୍ୟ ଓଡିଶାରେ ନିବେଶ ପାଇଁ ଆଗେଇ ଆସିଥିଲା ବେଳେ ଆଗାମୀ ଦିନରେ କପଡା, ଔଷଧ , କାରଖାନା ଭଳି ରାସାୟନିକ ସାମଗ୍ରୀ ଓ ଖାଦ୍ୟ ପ୍ରକ୍ରିୟାକରଣରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ଦେଖାଇଛନ୍ତି ।

କୋରୋନା ସଙ୍କଟ ମଧ୍ୟରେ ରାଜ୍ୟରେ ଶିଳ୍ପ ଚିନ୍ତା ବଢିବା ସହ ବେକାରୀ ଝଡ ଉପୁଜିଛି । ହେଲେ ଏଭଳି ଅନିଶ୍ଚିତତା ଓ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ବି ଓଡିଶା ପ୍ରତି ବିଶ୍ବାସ ଦେଖାଇଛନ୍ତି ନିବେଶକ । ସମଗ୍ର ବିଶ୍ବର ଅର୍ଥନୀତି ଭୁଶୁଡିପଡିଥିବା ବେଳେ ଓଡିଶାରେ ପୁଞ୍ଜି ନିବେଶ ଆଗାମୀ ଦିନରେ ଅଭିବୃଦ୍ଧିରେ ସହଯୋଗ କରିବା ଆଶା ଦେଖାଇଛି ।

ଏମଏସଏମଇକୁ 290 କୋଟିର ପ୍ୟାକେଜ

କୋରୋନା ଯୋଗୁଁ ରାଜ୍ୟରେ କ୍ଷୁଦ୍ର , ଲଘୁ ଓ ମଧ୍ୟମ ଉଦ୍ୟୋଗ ଗଭୀର ଭାବେ ପ୍ରଭାବିତ ହୋଇଛି । ଏହି ସଙ୍କଟରୁ ଏମାନଙ୍କୁ ମୁକୁଳାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 289 କୋଟି 42 ଲକ୍ଷ ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ୟାକେଜ ସହାୟତା ରାଶି ସହ ସୁଧ ଛାଡ, ଅଧିକ ରିହାତି, ରାଜ୍ୟ ଜିଏସଟିର ଭରଣା ସହ ବାର୍ଷିକ ରକ୍ଷଣାବେକ୍ଷଣ ପାଣ୍ଠିକୁ ଛାଡ କରାଯାଇଛି । ପ୍ରାୟ 1 ଲକ୍ଷ 70 ହଜାର ଏମଏସଏମଇ ୟୁନିଟକୁ ସୁଧ ଛାଡ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ଅର୍ଥକୁ ଭରଣା କରିବେ ସରକାର ।

2020-21 ଆର୍ଥିକ ବର୍ଷରେ ପିଏମଇଜିପି ଧାର୍ଯ୍ୟ ନିୟମ ଅନୁସାରେ ଦୁର୍ବଳ ଶ୍ରେଣୀର ଉଦ୍ୟୋଗୀଙ୍କୁ ଋଣ ଉପରେ 5 ପ୍ରତିଶତ ଅତିରିକ୍ତ ରିହାତି ମିଳିବ । ଏଥିପାଇଁ ରାଜକୋଷକୁ 27 କୋଟି ଟଙ୍କାର ପାଣ୍ଠି ପ୍ୟାକେଜରେ ବରାଦ ହୋଇଛି । ଯାହାକି ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସଂଖ୍ୟା ଲଘୁ , ମହିଳା ଓ ଭିନ୍ନକ୍ଷଣ ଶ୍ରେଣୀର ଉଦ୍ୟୋଗୀଙ୍କ ପାଇଁ ସହାୟତ ହେବ । ସେହିଭଳି ରୋଜଗାର ସୃଷ୍ଟି ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ABOUT THE AUTHOR

...view details