ହାଇଦ୍ରାବାଦ: ଲୋକଙ୍କୁ ସ୍ବାବଲମ୍ବୀ କରି ଦେଶରୁ ବେକାରୀ ହଟାଇବାକୁ ସରକାର ଆରମ୍ଭ କଲେ ମୁଦ୍ରାଋଣ ଯୋଜନା । ବିନା କୌଣସି ବନ୍ଧକରେ ଦିଆଗଲା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ହେଲେ ଏବେ ଏହା ଅର୍ଥବ୍ୟବସ୍ଥାରେ ବାଧକ ସାଜିଛି । ବ୍ୟାଙ୍କ କ୍ଷମତାକୁ ସଙ୍କୁଚିତ କରୁଛି । ଋଣ ଗ୍ରହିତା ଟଙ୍କା ପରିଶୋଧ କରୁଥିବାରୁ ଅନାଦେୟ ଋଣଭାର ବଢିଚାଲିଛି । ଫଳରେ ବ୍ୟାଙ୍କ କାରବାର ମାତ୍ରାଧିକ ଭାବେ ପ୍ରଭାବିତ ହେଉଛି ।
ଏଥିଲାଗି ଏହି ଋଣ ଗୁଡିକର ଯାଞ୍ଚ ପାଇଁ ବ୍ୟାଙ୍କଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଛି । ଡେପୁଟି ଗଭର୍ଣ୍ଣର ଏମ କେ ଜୈନ ମୁଦ୍ରାଋଣର ପ୍ରତ୍ୟେକ ଦିଗକୁ ନେଇ ବିଚାର ବିମର୍ଶ କରିଛନ୍ତି । ଋଣ ବଦଳରେ ଏନପିଏ ବୃଦ୍ଧି କାହିଁକି ହେଉଛି ? ଏଥିପାଇଁ ଜବାବ ରଖିବାକୁ ସେ ବ୍ୟାଙ୍କକୁ କହିଛନ୍ତି ।
ଏହା ପୂର୍ବରୁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏନେଇ ଚିନ୍ତା ପ୍ରକଟ କରି ଚେତାବନୀ ଦେଇଥିଲେ ଯେ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ବେପାରୀଙ୍କୁ ଋଣ ଦେବା ଦ୍ବାରା ସମସ୍ୟା ଉପୁଜିପାରେ । ଏଥିପାଇଁ ସରକାର ଓ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା ।
କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗ ସହ ବ୍ୟବସାୟିକ ସଂସ୍ଥାଗୁଡିକୁ ଶସ୍ତାରେ ଋଣ ଯୋଗାଇଦେବା ଲାଗି ୨୦୧୫ରେ ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦି ଋଣ ଯୋଜନା ଆରମ୍ଭ କରିଥିଲେ । ଏହା ଅନୁଯାୟୀ ଗତ ସାଢେ 4 ବର୍ଷରେ 10 କୋଟି ଟଙ୍କାର ଲୋନ ଦିଆଯାଇଛି । ଫଳରେ 21 କୋଟି ଲୋକ ଏହାଦ୍ବାରା ଉପକୃତ ହୋଇଛନ୍ତି ।
ଏହି କାରଣରୁ, କୋଟିକୋଟି ସଂଖ୍ୟା ଲଘୁ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବା ସହ ସେମାନଙ୍କ ଉନ୍ନତି ହୋଇଛି । ହେଲେ ଏପରି ବହୁ ବ୍ୟବସାୟୀ ବିଭିନ୍ନ କାରଣରୁ ଟଙ୍କା ପରିଶୋଧ କରିନଥିଲେ । ଫଳରେ 2016-17ରେ 5,067 କୋଟି, 2017-18ରେ 7,277 କୋଟି ଓ 2018-19ରେ 16,481 କୋଟିର ଋଣ ଟଙ୍କା ଆଉ ଫେରସ୍ତ ମିଳିନି । ଯାହାକି ଚଳିତ ବର୍ଷ ଆହୁରି ବୃଦ୍ଧି ନେଇ ଆଶଙ୍କା କରାଯାଉଛି । ବଡ କଥା ହେଉଛି , ଟଙ୍କା ପରିଶୋଧ ହେଉନଥିବା ଋଣର ସର୍ବାଧିକ ଅଂଶ ରାଷ୍ଟ୍ରାୟତ ବ୍ୟାଙ୍କର । ଏହି ଲିଷ୍ଟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସବୁଠୁ ଆଗରେ ରହିଛି । ଏହା ପଛକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାରା ବ୍ୟାଙ୍କ ଓ ସିଣ୍ଡିକେଟ ବ୍ୟାଙ୍କ ରହିଛି । ଏହି ବ୍ୟାଙ୍କଗୁଡିକରେ ବକେୟା ଋଣର ଅନୁପାତ 2017-18ରେ 2.58% ,2018-19ରେ ବଢି 2.68% ପହଞ୍ଚିଛି ।
ମୁଦ୍ରାଋଣ ସୂଚୀ ?
ବିମୁଦ୍ରିକରଣ ପରେ କ୍ଷୁଦ୍ର ବେପାରୀଙ୍କୁ ବଡ ଝଟକା ଦେଇଥିଲା । ପରେ ପୁଣି ବୋଝ ଉପରେ ନଳିତା ବିଡା ପରି ଲାଗୁ ହୋଇଥିଲା ଦ୍ରବ୍ୟ ଓ ସେବା କର( ଜିଏସଟି ) । ଏଥିଯୋଗୁଁ କୋଟି କୋଟି ବେପାରୀଙ୍କ ରୋଜଗାରରେ ତାଲା ପଡିଯାଇଥିଲା । ଏପରି ବହୁ କ୍ଷୁଦ୍ର ବେପାରୀ, ଯେଉଁମାନେ ମୁଦ୍ରା ଯୋଜନା ଜରିଆରେ ଟଙ୍କା ଉଧାର ନେଇଥିଲେ, ସେମାନେ ଆଉ ଟଙ୍କା ପରିଶୋଧ ପାଇଁ ସକ୍ଷମ ହୋଇପାରିନଥିଲେ ।