ନୂଆଦିଲ୍ଲୀ: ଦିନକୁ ଦିନ ବଢୁଛି ଚାକିରୀ ଚିନ୍ତା। ବିଶେଷ କରି ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ରୋଜଗାର ନଥିବାରୁ ଅନେକ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନାହାଁନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ 2018ରେ ଦୈନିକ ହାରାହାରି 35 ଜଣ ବେକାରୀ ଓ 36 ସ୍ବନିୟୋଜିତ ଲୋକ ଜୀବନ ହାରିଛନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ଼ ବ୍ୟୁରୋ(ଏନସିଆରବି) ରିପୋର୍ଟରେ ଏନେଇ ଦର୍ଶାଯାଇଛି।
ଏହି ରିପୋର୍ଟ ମୁତାବକ ଏହି 2 ଶ୍ରେଣୀରୁ ଗୋଟିଏ ଥରରେ 26,085 ଲୋକ ଆତ୍ମହତ୍ୟା କରିଛନ୍ତି। ଏଥିରେ ବେକାରୀ 12,936 ଜଣ ରହିଥିଲା ବେଳେ ସ୍ବରୋଜଗାର ବ୍ୟକ୍ତି 13,149 ଅଛନ୍ତି। ଏହି ମୃତ୍ୟୁ ହାର 2018ରେ ଆତ୍ମହତ୍ୟା କରିଥିବା 10,349 କୃଷକଙ୍କ ଠାରୁ ମଧ୍ୟ ଅଧିକ ରହିଛି। ଏହା ଦେଶର ମୋଟ ଆତ୍ମହତ୍ୟା ମଧ୍ୟରୁ 7 ପ୍ରତିଶତ। 2018ରେ ମୋଟ 1,34,516 ଲୋକ ପ୍ରାଣ ହରାଇଥିଲେ।