ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ଦର 40 ବେସିସ ପଏଣ୍ଟ ହ୍ରାସ କରି 4 ପ୍ରତିଶତ କରିଛି । ଆରବିଆଇର ଏହି ପଦକ୍ଷେପକୁ ପ୍ରଂଶସା କରି ଉଦ୍ୟୋଗ ଜଗତ କହିଛି କି, ଏହା ଦ୍ବାରା କ୍ଷୁଦ୍ର ବ୍ୟବସାୟୀଙ୍କୁ ରିଲିଫ ମିଳିବା ସହ ଚାହିଦା ମଧ୍ୟ ବୃଦ୍ଧି ପାଇବ ।
ଉଦ୍ୟୋଗ ଜଗତ କହିଛି ଯେ, କୋରୋନା ଭାଇରସ ମହାମାରୀରେ ଦୁର୍ବଳ ହୋଇପଡିଥିବା ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପକ୍ଷରୁ ନିରନ୍ତର ଆଧାରରେ ଆହୁରି ସମର୍ଥନର ଆବଶ୍ୟକତା ଜରୁରୀ ରହିଛି ।
ରେପୋରେଟ ଦର ହ୍ରାସ ସହ ଆରବିଆଇ ଇଏମଆଇ ସ୍ଥଗିତ ଅବଧି ଆହୁରି 3 ମାସ ବଢାଇଛି । ଏଥିସହ ଆରବିଆଇ ବ୍ୟାଙ୍କ ପାଇଁ କର୍ପୋରେଟ ଋଣ ସୀମା ନେଟୱର୍ଥ ବଢାଇ 30 ପ୍ରତିଶତ କରିଛି ।
ସେହିଭଳି ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗଣମାଧ୍ୟମକୁ କହିଛନ୍ତି ଯେ, ‘‘ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସରକାର ଓ ଆରବିଆଇ ପୂରା ପ୍ରୟାସ କରୁଛନ୍ତି । ତେବେ ଉଦ୍ୟୋଗ ଜଗତ ସାମ୍ନା କରୁଥିବା ଚ୍ୟାଲେଞ୍ଜର ମଧ୍ୟ ଚିହ୍ଟଟ କରି ତାହାର ସମାଧାନ ବାଟ କାଢିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କ ଓ ସରକାର ଉଦ୍ୟମ କରିବା ଜରୁରୀ ।
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ରପ୍ତାନି ସଙ୍ଗଠନ (FIEO) ମଧ୍ୟ ଆରବିଆଇର ସମସ୍ତ ଘୋଷଣାକୁ ସ୍ବାଗତ କରିବା ସହ ଏହା କୋରୋନାରେ ପ୍ରଭାବିତ ରପ୍ତାନୀ ସେକ୍ଟରକୁ ସହଯୋଗ କରିବ ବୋଲି କହିଛି ।