ଆଉ ମାତ୍ର 4 ଦିନ । ଶେଷ ପର୍ଯ୍ୟାୟରେ ବଜେଟ ଛାପା କାମ । ଆସନ୍ତା 5ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଗତ କରିବେ 2019-20 ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳ । ସମଗ୍ର ଦେଶବାସୀଙ୍କ ନଜର ଏବେ ନିର୍ମଳାଙ୍କ ବଜେଟ ବ୍ରିଫକେସ ଉପରେ । ତେବେ ଆପଣ ଜାଣନ୍ତି କି, ଏହି ବଜେଟ ବାକ୍ସ ପଛର ଇତିହାସ ? କିପରି ରହିଥାଏ ଏହା ? କିଏ ଏହାକୁ ପସନ୍ଦ କରେ ?
ଅର୍ଥମନ୍ତ୍ରୀଙ୍କ ପସନ୍ଦ ମୁତାବକ ବଦଳିଥାଏ ବଜେଟ ବ୍ରିଫକେସର ଆକାର , ପ୍ରକାର ଓ ରଙ୍ଗ । କେବେ ଏହା ଲାଲ ତ ପୁଣି କେବେ କଳା ଆଉ ମାଟିଆ । ସ୍ବତନ୍ତ୍ରତା ପରେ ଦେଶର ବହୁ ଅର୍ଥମନ୍ତ୍ରୀ ଭିନ୍ନ ଭିନ୍ନ ରଙ୍ଗର ବଜେଟ ବ୍ରିଫକେସ ବ୍ୟବହାର କରି ସାରିଛନ୍ତି । ଏଥିଲାଗି ମନ୍ତ୍ରଣାଳୟ ପକ୍ଷରୁ 3ରୁ 4ଟି ରଙ୍ଗ ଅପ୍ସନ ଦିଆଯାଏ । ଏହି ଅନୁଯାୟୀ ନିଜ ପସନ୍ଦର ବ୍ୟାଗ ଚୟନ କରିଥାନ୍ତି ଅର୍ଥମନ୍ତ୍ରୀ ।
ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଆରକେ ଶନମୁଖମ ଚେଟ୍ଟୀ, ଯିଏକି ଏହି ବଜେଟ ଦସ୍ତାବିଜକୁ ଏକ ଚମଡା ବ୍ୟାଗରେ ରଖିଥିଲେ । ଏହା ପରେ 1956ରୁ 1958 ମଧ୍ୟରେ ଜବାହାରଲାଲ ନେହେରୁ ବଜେଟ ପାଇଁ ଏକ କଳାରଙ୍ଗର ବାକ୍ସ ଚୟନ କରିଥିଲେ । ସେପଟେ 1964ରୁ 1966 ଅନ୍ତରାଳରେ ଅର୍ଥମନ୍ତ୍ରୀ ଟିଟି କୃଷ୍ଣମାଚରୀ ଏକ ଫାଇଲ ବଜେଟ ବ୍ୟାଗ ସହ ସଂସଦରେ ପହଞ୍ଚିଥିଲେ । କିନ୍ତୁ 1970 ପରେ ଦେଶର ଅର୍ଥମନ୍ତ୍ରୀ କ୍ଲାସିକ ହାର୍ଡଟପ ବ୍ରିଫକେସର ବ୍ୟବହାର ଆରମ୍ଭ କଲେ ।