ନୂଆଦିଲ୍ଲୀ: ଆଖିକୁ ନିଦ ଆସୁନି । ପିଲାଙ୍କ ସ୍କୁଲ ଫିସ ଭରିବାକୁ ଟଙ୍କା ନାହିଁ। ଘର ଭଡା ଦେବାକୁ ଅକ୍ଷମ। ଅର୍ଥଭାବରୁ ପତ୍ନୀଙ୍କ ଗହଣା ବିକିବାକୁ ପଡୁଛି। ଇଏମଆଇ ଭରି ପାରୁନଥିବାରୁ ନିଜ ଗାଡି ବିକ୍ରି କରିବାକୁ ପଡୁଛି। ଏସି ଭିତରେ ବସୁଥିବା ଅଫିସର ଏବେ ରାସ୍ତାରେ। ଦୁଃଖ ବୟାନ କରୁ କରୁ ଆଖିରୁ ଝରିପଡୁଛି ଲୁହ। କମ୍ପାନୀ ବନ୍ଦ ହେବା ପରେ ଏପରି ବହୁ ସମସ୍ୟା ଭାର ତଳେ ଅଣନିଶ୍ବାସୀ ହୋଇପଡିଛନ୍ତି ଜେଟର 22 ହଜାର କର୍ମଚାରୀ । ହତାଶ ହୋଇ ଜନ୍ତରମନ୍ତରରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ କମ୍ପାନୀର ପୁର୍ନ ପରିଚାଳନା ପାଇଁ ମୋଦି ସରକାରଙ୍କୁ ଆବେଦନ କରିଛନ୍ତି ।
ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଘରୋଇ ବିମାନ କମ୍ପାନୀ ଜେଟ ଏୟାରୱେଜ ବୁଧବାର ଶେଷ ଉଡାଣ ଭରିଥିଲା। ଏହା ପରେ କମ୍ପାନୀର ସବୁ ବିମାନ ଅଚଳ ହୋଇପଡିଛି। ଏଥିସହ ଏଠାରେ କାମ କରୁଥିବା ଡ୍ରାଇଭର ଠାରୁ ଆରମ୍ଭ କରି ପାଇଲଟ, ଇଞ୍ଜିନିୟର ସମସ୍ତଙ୍କ ହାତରେ ପଡିଯାଇଛି ତାଲା । ରୋଜଗାରରର ପନ୍ଥା କହିଲେ ଆଉ କିଛି ନାହିଁ । ଗଲା କିଛି ମାସ ଦରମା ମିଳିନଥିବାରୁ ଯାହା ସଞ୍ଚୟ ଥିଲା ସେ ସବୁ ମଧ୍ୟ ଖର୍ଚ୍ଚ ହୋଇଯାଇଛି । ଏବେ ଘର ଓ ପରିବାର ପ୍ରତିପୋଷଣ କରିବାକୁ ପାଖରେ କାଣିଚାଏ ନାହିଁ । ହିଂସାକୁ ଆପଣାଇ ବିକ୍ଷୋଭ କରିବା ବଦଳରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ‘ସେଭ ଜେଟ ଏୟାରୱେଜ’ ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପିଲ କରିଛନ୍ତି ।