ନୂଆଦିଲ୍ଲୀ: ଦେଶର ମୋଟ ଘରୋଇ ଉତ୍ପାଦ ( ଜିଡିପି) ଚଳିତ ଆର୍ଥିକ ବର୍ଷର ଡିସେମ୍ବର ତ୍ରୟମାସରେ ସକରାତ୍ମକ ହୋଇ 1.3 ପ୍ରତିଶତରେ ପହଞ୍ଚିପାରେ । ଏହା ପୂର୍ବରୁ 2 ତ୍ରୟମାସ ମଧ୍ୟରେ କୋରୋନା ଭାଇରସ ମହାମାରୀ ସଂକ୍ରମଣ କାରଣରୁ ଏଥିରେ ବଡ ହ୍ରାସ ରେକର୍ଡ କରାଯାଇଛି । ଏକ ରିପୋର୍ଟରେ ଏ ନେଇ ଦର୍ଶାଯାଇଛି ।
ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (ଅକ୍ଟୋବର-ଡିସେମ୍ବର) ର ଜିଡିପି ତଥ୍ୟ ସରକାର ଶୁକ୍ରବାର ଜାରି କରିବେ । ଡିବିଏସ ବ୍ୟାଙ୍କ(DBS Bank )ର ଜାରି ଏକ ରିପୋର୍ଟରେ କୁହାଯାଇଛି କି ଆର୍ଥିକ ବର୍ଷ 2020-21 ମଧ୍ୟରେ ଜିଡିପିରେ 6.8 ପ୍ରତିଶତ ହ୍ରାସ ହୋଇପାରେ । ବ୍ୟାଙ୍କର ରିପୋର୍ଟ ମୁତାବକ କ୍ୟାଲେଣ୍ଡର ବର୍ଷ 2020ର ଶେଷ ତ୍ରୟମାସ (ଅକ୍ଟୋବର-ଡିସେମ୍ବର) ରେ ଜିଡିପି ଦର ସକରାତ୍ମକ ପରିସରରେ ଆସିପାରେ ।
ଡିବିଏସ ଗ୍ରୁପର ରିସର୍ଚ୍ଚ ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି କି ଦେଶରେ କୋଭିଡ-19 ସ୍ଥିତିରେ ଦ୍ରୁତ ସୁଧାର ଓ ଲୋକଙ୍କ ଖର୍ଚ୍ଚ ବଢୁଥିବାରୁ ଏହା ଅର୍ଥନୀତି ଉପରେ ସକରାତ୍ମକ ପ୍ରଭାବ ପକାଉଛି । ଯାହାକି ଅଭିବୃଦ୍ଧି ପୁନରୁଦ୍ଧାର ସହ 2020 ଡିସେମ୍ବର ତ୍ରୟମାସ ପାଇଁ ଭଲ ରହିବ ।
ଭାରତର ଜିଡିପି ପ୍ରଥମ ତ୍ରୟମାସ ସମୟରେ 24 ପ୍ରତିଶତ ଓ ଦ୍ବିତୀୟ ତ୍ରୟମାସରେ 7.5 ପ୍ରତିଶତ ହ୍ରାସ ହୋଇଥିଲା । ଡିବିଏସର ସଦ୍ୟ ରିପୋର୍ଟ ଅନୁସାରେ ଏବେ ତୃତୀୟ ତ୍ରୟମାସରେ ଏହା ସକରାତ୍ମକ ହୋଇଯିବ । ଆଉ ଏଥିରେ 1.3 ପ୍ରତିଶତ ବୃଦ୍ଧି ହେବ ।
2020-21ର ଆର୍ଥିକ ସମୀକ୍ଷାରେ ଆସନ୍ତା ଆର୍ଥିକ ବର୍ଷରେ 11 ପ୍ରତିଶତ ବୃଦ୍ଧିର ଅନୁମାନ ଲଗାଯାଇଛି । ଏହି ଅନୁମାନ ରିଜର୍ଭ ବ୍ୟାଙ୍କର 10.5 ପ୍ରତିଶତ ବୃଦ୍ଧି ଆକଳନ ଠାରୁ ସାମାନ୍ୟ ଅଧିକ । ତେବେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ଅନୁସାରେ 2021 ରେ ଭାରତ 11.5 ପ୍ରତିଶତ ବୃଦ୍ଧି ହାସଲ କରିପାରେ ।